କବିତା କଳ୍ଳୋଳିନୀ

 

 

 

 

 

 

 

 

 

 

 

କବିତା କଲ୍ଲୋଳିନୀ

କବିସୂର୍ଯ୍ୟ ବଳଦେବ ରଥ

 

ଜଗତେ କେବଳ

(ରାଗ: ଆଷାଢ଼ଶୁକ୍ଳ)

 

ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । ଘୋଷା ।

ଜଟିଳ କରି ସ୍କନ୍ଧ ରୋମରାଜି ।

ଶିଖରୀ ଦରୀରେ ମରୁଁ ଗରଜି ।

କୁଟିଳ କରି ଭ୍ରୂକୁଟିକୁ ଚାହୁଁ ।

ସରମା କଣ୍ଠୀରବ ହେବ କାହୁଁ । ୧ ।

 

ଅଲକତଦ୍ରବ ନୟନେ ବୋଳି ।

ରସାଳ ଗହଳ ଶାଖାରେ ଖେଳି ।

କବଳ କରୁଁ ତା କଳି କଳାପ ।

କାକ କି କରିବ ପଞ୍ଚମାଳାପ ? । ୨ ।

 

ବରଜୀବ-ରସେ ଦେଇ ମାନସ ।

ବରଜି ବରଷେ ଅମେଧ୍ୟ ଗ୍ରାସ ।

ଦେହେ ମନ୍ଦାକିନୀ ରଜ ଲଗାଇ ।

ଗ୍ରାମ ଶୂକରୀ କି ହୋଇବ ଗାଈ ? । ୩ ।

 

ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ ।

ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ ।

ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ ।

ତେବେ ସେ ମରାଳୀ ବୋଲାଇବ କି ? । ୪ ।

 

ରଞ୍ଜି ନାୟକ ରଙ୍ଗେ ଚୋପଦାର ।

ଖଞ୍ଜିଲେ ହେଲେ ଚାବୁକ ସବାର ।

ଖିଲାଇଲେ ହେଲେ ନାନା ମସଲା ।

ତୁରଙ୍ଗ ହୁଏ କି ରାସଭ ପିଲା । ୫ ।

 

ବଦରିକା ବନେ ନିତ୍ୟ ନିବାସ ।

କରି ଆଚରି ବ୍ରତ ଉପବାସ ।

ପ୍ରଯତ୍ନ କଲେ ହେଁ ନାନା ପ୍ରକାର ।

ଖଦ୍ୟୋତ ହୋଇବ କି ପ୍ରଭାକର ? । ୬ ।

 

ଯାହାକୁ ଯାହା କରିଛି ଦଇବ ।

ତହୁଁ ନି କି ସେ ଅନ୍ୟଥା ହୋଇବ ।

ଘେନିଲେ ହେଲେ ଯତ୍ନେ କୋଟି ପୁଟ ।

ପିତ୍ତଳୁଟି କେହି ହେବ ପୁରଟ । ୭ ।

 

ଦେବ ଉପବନେ ହୋଇ ଜନିତା ।

ସୁବାସ-ମଦରୁ ଜବସଲତା ।

ତୁଳସୀ ତୁଲେ ହେଲେ ମିଶାମିଶି ।

ତାହାକୁ ଯେବେ ବୋଲିବା ତୁଳସୀ । ୮ ।

 

ସମଜଇ ନାହିଁ ସ୍ଵଜାତି ଭାଷା ।

କହିଲେ ଯେ ହୁଅଇ ଲୋକହସା ।

ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ ।

ଷଡ଼ଦର୍ଶୀ ତୁଲେ କଲେ ବିବାଦ । ୯ ।

 

ଦେହରେ ବାଜିଲେ ପର ନିଃଶ୍ଵାସ ।

ସମ୍ଭାଳିବାକୁ ନ ଥାଇ ବିଶ୍ଵାସ ।

ନିର୍ଲଜ୍ଜ ଅଭିମାନେ ଡେରି ଛାତି ।

ହାତୀ ଲଢ଼ାଇକି ବାନ୍ଧିଲେ କାତି । ୧୦ ।

 

କରମରେ ତ ହୋଇଅଛି ଲେଖା ।

କରମର୍ଦ୍ଦକ ଯୋଗ୍ୟ ତୋର ଶିଖା ।

ହରମଉଳିଯୋଗ୍ୟ ଚମ୍ପକକୁ ।

ଭରମରେ ବୃଥା ପଡ଼ି ଯା ଟାକୁ । ୧୧ ।

 

ଚାରୁଚନ୍ଦ୍ରୋଦୟ ମଶାଲ ପାଖେ ।

ବହ୍ନି ଜାଳିବ ଯେବେ ଦିଶା ମୁଖେ ।

ଧାତା ତ କରିନାହିଁ ତା ନିକାଶ ।

କି ରୂପେ ହେବ ସେପରି ପ୍ରକାଶ । ୧୨ ।

 

ବୋଳିହୋଇ ଭୂତି ଧରି ପରଶୁ ।

ବଳୀବର୍ଦ୍ଦବର ଚରମେ ବସୁ ।

ଗଉରୀ-ପ୍ରାଣନାଥ ଅନୁଭାବ ।

ଠଉରି ପାରିବ ନାହିଁ ତ ଲବ । ୧୩ ।

 

ସରପର୍ପଟି ଯାହାକୁ ମିଳଇ ।

ସେ ସୁଖେ ତା ଭୋଜନେ ପ୍ରବଳଇ ।

ସଢ଼ାଇବାକୁ ତା ବଡ଼ାଇ ବସି ।

ଦୁର୍ମତି ଯେବେ ଚୋବାଇବ ଘଷି । ୧୪ ।

 

ଚିର ତପବଳୁ କେଉଁ ପୁରୁଷ ।

ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ ।

କରିଷେ ସଞ୍ଚରିବା ନ ସହିବ, ।

କରୀଷକଟେ ଯେବେ ଆରୋହିତ । ୧୫ ।

 

ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି ।

ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି ।

ବଳାହିତ ରତ୍ନ ପରି ଦିଶିବ ।

ବାଳା ପୟୋଧର ହାରେ ମିଶିବ । ୧୬।

 

ସତର ବୟସୀ ସତତ ମନ ।

କରଇ ଯାହାକୁ ଅନୁଗମନ ।

ଛବି-ଶୂନ୍ୟ; ଷଣ୍ଡ ବୃଦ୍ଧ ତା ତୁଲେ ।

ଅବିବେକବଶୁ ବିବାଦୀ ହେଲେ । ୧୭ ।

 

ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା ।

ସଙ୍ଗକୁ ଅଙ୍ଗୀକାର କଲା ସିନା ।

ହୋଇଲି ତ ବୋଲି କନକ ତୁଲ୍ୟ ।

ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ । ୧୮ ।

 

ଗଜପତି କୁମ୍ଭସ୍ଥଳ ବିଦାରି ।

ସଜ ପଲକ ଭୁଞ୍ଜିବାରୁ ହରି ।

ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ ।

ଜମ୍ବୁକେ ଯଶସ୍ଵୀ ବୋଲିବା ଯେବେ । ୧୯ ।

 

ମାନୋଦ୍ଧାରଣ ଶରଣପଞ୍ଜର ।

ବଘେଲ ବାଦଶା ନୃପକୁଞ୍ଜର ।

ରାଜା ଜଗଦ୍ଦେବ ହରିଚନ୍ଦନ ।

ଲଙ୍ଘିଲେ ତାକୁ ନ କରି ଚନ୍ଦନ । ୨୦ ।

 

ତାଙ୍କ ସୁଧର୍ମା ତୁଲ୍ୟ ସଭା କବି ।

ଭଣିଲେ ରାୟଗୁରୁ କବିରବି

ଶ୍ରବଣ-ସର୍ବାବୟବୀ ମାନବ ।

ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ ।

ଜଗତେ କେବଳ,

ଜନେ ହସିବେ ଏହି ତହୁଁ ଫଳ । ୨୧ ।

Image

 

କାହାକୁ କହିବା

(ରାଗ: ଆଷାଢ଼ଶୁକ୍ଳ)

 

କାହାକୁ କହିବା କପାଳରେ ସିନା କର ତାଡ଼ିବା । ଘୋଷା ।

ଭଜିଥିବ ଭାବି କଳପଲତା,

କାଳେ ସେ ହୋଇଲେ ଅପରାଜିତା,

କରି ଗୋଦାବରୀ ନିକଟେ ବସା,

କାଳଦେବତା ହେବ ଯେବେ ତୃଷା। । ୧ ।

 

ନଥର ପରୀକ୍ଷିତ ହୀରାମଣି,

ପଥରୁ ଯେବେ ହେବ ଊଣା ପୁଣି,

କର ହାଜର ଥିବ ପଦ୍ମନିଧି,

ଜନମିବ ଯେବେ ଯାଚକ ବୁଦ୍ଧି । ୨ ।

 

ପିନ୍ଧିଥିବ ଜାମାନିମାଗୁଡ଼ିକି,

ଗୁପତ ଅଙ୍ଗ ଦିଶିଲେ ଝଲକି,

ହରିଭଜନମାଳା ଥିବ କରେ,

ଧରି ନେବେ ଯେବେ ଯମ କିଙ୍କରେ । ୩ ।

 

ଶୟନକୁ ଥିବ ହଂସୁଲିତୂଳି,

ନିଜ ଅଙ୍ଗରୁ ଜନମିଲେ ଧୁଳି,

ମାଧୁର୍ଯ୍ୟ ଲୋଭରେ ଖାଇଲେ ସିତା,

କଣ୍ଠ ଉପକଣ୍ଠ ଲାଗିଲେ ପିତା । ୪ ।

 

ଜୀଇବା ପାଇ ପିଇବା ପୀୟୁଷ,

ପରିପାକେ ଯେବେ ହେବ ସେ ବିଷ,

କୁନ୍ଦନ ଯେବେ ପାଲଟିବ ରଙ୍ଗ,

କଟିସୂତ୍ର ଯେବେ ହେବ ଭୁଜଙ୍ଗ। । ୫ ।

 

କେତକୀରୁ ସମ୍ଭବିଲେ ଦୁର୍ବାସ,

ଶିରଗଭାରୁ ଜନ୍ମିଲେ କୁଳିଶ,

ନିଜ ନିଶ୍ୱାସରେ ପଡ଼ିଲେ ଢଳି,

ଜଠରାନଳେ ଦେହ ଗଲେ ଜଳି । ୬ ।

 

ସକଳ ସଉଭାଗ୍ୟ ଅଭିଳାଷେ,

ଅନୁସରି ସୁରସୁରଭି ପାଶେ,

ଦୋହନକାଳେ ଦୁଧରୁ ତାହାର,

ଧରାପରାଗ ହୋଇଲେ ବାହାର। । ୭ ।

 

ପିଞ୍ଜରମଣ୍ଡନ ପଢ଼ା ଶାରିକା,

ପଢ଼ା ଛାଡ଼ି କଲେ ମଣ୍ଡୁକ ଡକା,

କପିତ୍ଥ ଫଳିଲେ ରସାଳଲତା,

ଅଶୁଭ ପାଞ୍ଚିଲେ ଇଷ୍ଟଦେବତା । ୮ ।

 

ଜ୍ୟୋତିଷ୍ମନ୍ତ ତାର ନୟନେ ଥିବ,

ସମୀପ ଦୀପ ଯେବେ ନ ଦିଶିବ,

ଘନସାର ସାର ସଙ୍ଗମ କ୍ଷଣେ,

ଆନ୍ଧ୍ୟ ଯେବେ ଜନମିବ ଈକ୍ଷଣେ । ୯ ।

 

ଦୂର ହୋଇବାକୁ ଦୁରିତବ୍ୟୁହ,

ଗଙ୍ଗାପ୍ରବାହେ କରି ଅବଗାହ,

ନିତ୍ୟ ନିବାସ କରିଥିବ କାଶୀ,

ଆସି ଗ୍ରାସି ଦେଲେ ପାତକରାଶି । ୧୦ ।

 

ହାତୀ ବିତରଣ କରି ଯାଚକେ,

ଜାତି କୃପଣ ବୋଲାଇଲେ ଲୋକେ,

ପାତିତ୍ୟଧ୍ୱଂସୀ ଶ୍ରୀମହାପ୍ରସାଦେ,

ଜାତିବିଧ୍ୱଂସ ହେଲେ ପରମାଦେ । ୧୧ ।

 

ଅବଲମ୍ବ କରି ଗରୁଡ଼ନିଡ଼,

ଡୁଣ୍ଡୁଭରୁ ହେଲେ ଭୟ ନିବାଡ଼,

ହରିଦରୀମଧ୍ୟ କରି ଶରଣ,

ଶଶ ସକାଶୁଁ ଲଭିଲେ ମରଣ । ୧୨ ।

 

ସିନ୍ଧୁରେ ପଶି ନ ତିନ୍ତିଲେ ପାଦ,

ସାଯୁଜ୍ୟ ମୋକ୍ଷରେ ଥିଲେ ବିପଦ,

ମାଜି ନିର୍ମଳ ମୁକୁରକୁ ଚାହିଁ,

ପ୍ରତିବିମ୍ବ ଯେବେ ଦିଶିବ ନାହିଁ । ୧୩ ।

 

ଦ୍ରବ୍ୟରୁ ଯେବେ ଗୁଣର ବିଚ୍ଚେଦ,

କାମକାଣ୍ଡରେ ହେଲେ ଶିରଚ୍ଚେଦ,

ସେବିବା ସଂଜୀବନୀ ମହୌଷଧ,

ନୋହିବ ଯେବେ ଆମୟ-ନିଷେଧ । ୧୪ ।

 

ହିମଗିରିଦରୀ କରି ଆଶ୍ରୟ,

ହେଲେ ନିଦାଘ ଭୟ ଅତିଶୟ,

ପଣ୍ଡିତମଣ୍ଡଳୀରେ କରି ସ୍ଥିତି,

ଜଣା ନୋହିଲେ ବଚନ ସଙ୍ଗତି । ୧୫ ।

 

ଜାଣି ବେଦବିଦ୍ୟା ତତ୍ତ୍ୱସାରକୁ,

ମୁରୁଖ ବୋଲାଇଲେ ଆଖରକୁ,

ପରଶୁରାମଙ୍କୁ କରିବା ଗୁରୁ,

ପଳାଇବା ଯେବେ ଅରି ଆଗରୁ । ୧୬ ।

ବୀଣାବାଦ୍ୟ ଶିକ୍ଷା ଦେଇ ଅଶେଷେ,

ଅତାଳଞାନୀ ବୋଲାଇଲେ ଶେଷେ,

ଧରଣୀଦେବଙ୍କ ଚରଣରଜ,

ଶିରେ ଘେନିବା ଯେବେ ହେବ ଲାଜ । ୧୭ ।

ଶରୀର ଖେଦ ହୋଇବାକୁ ଶାନ୍ତ,

ଚାଳିବା ମନ୍ଦ ମନ୍ଦ ତାଳବୃନ୍ତ,

ତହୁଁ ନ ଜନମି ମୃଦୁ ଅନିଳ,

ସମ୍ଭବିବ ଯେବେ ପ୍ରଳୟାନଳ । ୧୮ ।

କହଇ ଜଳନ୍ତର ପୁରନ୍ଦର,

ଶୋଭା ନିମନ୍ତେ ବହି ଅଳଙ୍କାର,

ତହୁଁ ସୁନ୍ଦରଭାବ ନ ଦିଶିବ,

ପିଶାଚ ପରିଯେବେ ଆଭାସିବ ।

କାହାକୁ କହିବା କପାଳରେ ସିନା କର ତାଡ଼ିବା । ୧୯ ।

Image

 

ଶିଖଣ୍ଡ ମୁକୁଟ

(ରାଗ : ଆଷାଢ଼ଶୁକ୍ଳ)

 

ଶିଖଣ୍ଡ ମୁକୁଟ, ଶିଖିଚ ଭଲା ଆଜନମୁ କୂଟ । ଘୋଷା ।

ହେଲା ଯେ ସକଳ ଗୁଣ ପ୍ରକଟ,

ପୁରୁଷ ଜାତି ତୁମ୍ଭେ ମଧୁଲିଟ,

ନିରପରାଧ ଅନୁରୋଧ ତୁଟ,

କଞ୍ଜରୁ ଡେଇଁ କୂଟଜକୁ ଚାଟ । ୧ ।

 

ପ୍ରତି ନିକୁଞ୍ଜେ ତାଳ ପହପଟ,

ଅବଶେଷକୁ ସାକ୍ଷୀ ନଦୀତଟ,

ବ୍ରଜବଜାରେ ବସେ ଏହି ହାଟ,

ପୁଣି ସାହସେ ନିୟମକୁ ହଟ । ୨ ।

 

କି ମନ୍ତ୍ରେ କରାଇ ମନ ଉଚ୍ଚାଟ,

ଚାଟୁ କହୁ କହୁ ତୋଟିକି କାଟ,

ବଚନ ସୁଧାସାର ପ୍ରତିଭଟ,

ପେଟୁଟିଯାକ ନିପଟ କପଟ । ୩ ।

 

ପ୍ରିୟାକୁ ପିନ୍ଧାଇ ସ୍ୱ ପୀତପଟ,

ଆପେ ପିନ୍ଧିବା ତାହା ଲାଗିପଟ,

ଆହା ଏ ଗୁଣ କରିବାକୁ ସ୍ଫୁଟ,

ଜଗତେ ଘଟିବେ ନାହିଁ ଯେ ଭାଟ । ୪ ।

 

ହୋଇଗଲ କେଡ଼େ ଅକଲଛୋଟ,

ଚନ୍ଦ୍ରକେ ଲାକ୍ଷା ଲାଗି ହେଲା ଛିଟ,

ଏରୂପେ ଯେବେ ସକଳ ପାଲଟ,

ମନମଥ ପେଷି ଥିଲା କି ଥାଟ । ୫ ।

 

ବୋଲାଅ ପରା ପ୍ରଣୟଲମ୍ପଟ,

ଯେ କରେ ବିଶ୍ୱାସ ତାହାକୁ ଜଟ,

ଏ ରୀତିରୁ କେ ନ ବହିବ ରୁଟ,

ଋଷି ତ ହେଲେ ଛିଣ୍ଡାଇବେ ଜଟ । ୬ ।

 

ତୁମ୍ଭ ବୁଦ୍ଧିବଳ ପରା ନିରାଟ,

ଜାଇ ଫିଙ୍ଗିଦେଇ ତୋଳ ତରାଟ,

ମାଳା କରିବାକୁ ସଞ୍ଚି ବରାଟ,

ଫିଙ୍ଗିଲ ମଞ୍ଜୁଷୁ ହୀରକରାଟ । ୭ ।

 

ନୀପ ନିକୁଞ୍ଜ ଅବା କେତେ ବାଟ,

ଶ୍ରମ ହୋଇଥିବ ବୋଲି ଉତ୍କଟ,

ଶ୍ରୀହସ୍ତେ ଚାଳି କୁସୁମ ଆଲଟ,

କରପରା ଉରଃସ୍ଥଳକୁ ଖଟ । ୮ ।

 

ହୃଦରେ ଲଦି ଯା ସ୍ତନ-ସମ୍ପୁଟ,

ପିଅ ଯାହା ସ୍ୱାଦୁ ଅଧରପୁଟ,

ସେ ଶେଯେ କରି କଞ୍ଜଦଳକୂଟ,

ବସିଛି ଗିଳିବାକୁ କାଳକୂଟ । ୯ ।

 

ଆଉ ଯେ ହୁଅଇ ନାହିଁ ସେ ଲଟ,

କିସ ହୋଇବ ହେଲେ ଛଟପଟ,

ଏତିକି ମୋ ପ୍ରାଣସଖୀର ଭେଟ,

କାଳକୁ ହୋଇଲାଣି ଅନିକଟ । ୧୦ ।

 

ହେବାରୁ ତୁମ୍ଭ ସ୍ନେହେ ଲଟପଟ,

ଉତ୍ତମ ପକ୍ଷ ଛାଡ଼ିବାର ଘଟ,

ଯାହାର ଥିବ ତେଡ଼କି ଆକଟ,

ଦେଖିବ ତୁମ୍ଭେ ତାହାରି ଶୁକଟ । ୧୧ ।

 

କରଜର ମୁନେ ଚିରି କନ୍ୟାଟ,

ଯେ ଦେଖି ଫୁଲୁଥାଏ ତୁମ୍ଭ ନାଟ,

ଯେ ତୁମ୍ଭ ଦରଶନ ଚିତ୍ରପଟ,

ତା ସୁଖ ମୁଖେ ଛୁଟାଇଲ ଛାଟ । ୧୨ ।

 

ଜାଣି ଯେ ଯିବାର ଯମୁନାଘାଟ,

ଦେଖିବାକୁ ତାକୁ ଆଗେ ଝପଟ,

ବହ ଯାହାକୁ ରଚି ବାହାପଟ,

କହ କି ଦୋଷୁ ନୁହଁ ତା ପଟ । ୧୩ ।

 

ନିଶିତମ ହୋଇଥାଏ ବିକଟ,

ଆସି ନଖେ ଠୁଙ୍କ ଯାହା କବାଟ,

ଯେ ତୁମ୍ଭ ସ୍ନେହବିଦ୍ୟା ବଡ଼ଚାଟ,

କରି ଟିକି ତାକୁ ଏଡ଼େ କପଟ । ୧୪ ।

 

ଜଳଦ ହୋଇଥାଏ ସର୍ବଘୋଟ,

ଚପଳା ଖେଳୁଥାଇ ଝଟ ଝଟ,

ଦୂରୁ ଡାକୁଥାନ୍ତି ଯାମିକ ଭଟ,

ଆସି ପରା ତୁମ୍ଭେ ତା ସେବା ଖଟ । ୧୫ ।

 

କର ଆହୁରି ତୁମ୍ଭେ ସର୍ପଘଟ,

କୁଞ୍ଜ ଖବର କହୁଛି କରଟ,

କ୍ଷଣେ ଯତନେ କଲେହେଁ ଆପଟ,

ନ ବାସିଯାଏ କି ଚମ୍ପକପୁଟ । ୧୬ ।

ଦେଖାଇ ମାମୁ ବୋଲି ଦ୍ୱିଜରାଟ,

କାଲି ଦେଉଥିଲୁଁ ଯା ନେତ୍ରେ ଅଟ,

ତୁମେ ତ ସେହି ଶ୍ୟାମବନ୍ଧୁ ଅଟ,

ଶିକ୍ଷା କଲ କାହୁଁ ଏତେ କପଟ । ୧୭ ।

କାହିଁକି ଦେଲ ଏ ପ୍ରାଣ ସଙ୍କଟ,

ନୋହୁଁ ବଳୀ ବକ କେଶୀ ଶକଟ,

କି ହେବ ଆଉ ହୋଇ ଭଟଭଟ,

କର୍ମକୁ ଭର୍ମ ହେଲା ଅରକୂଟ । ୧୮ ।

ଶୁଣି ଭଣିଲେ ହସି ନବ ନଟ,

ଆନ ସଙ୍ଗ ମୋର ହଟ ଚମଟ,

ଏକା ତୋ ସଖୀ ଜୀବନ ମୁଁ ଘଟ,

ତା ଜାଣେ ଅଷ୍ଟଦୁର୍ଗ ତୁରାସାଟ।

ଶିଖଣ୍ଡ ମୁକୁଟ, ଶିଖିଛ ଭଲା ଆଜନମୁଁ କୂଟ । ୧୯ ।

Image

 

ଚାହିଁଲା ତ ନାହିଁ

(ରାଗ: ଆଷାଢ଼ଶୁକ୍ଳ)

 

ଚାହିଁଲା ତ ନାହିଁ, ଚକ୍ଷୁକୋଣେ ଚାରୁଚନ୍ଦ୍ରମାମୁହିଁ । ଘୋଷା ।

ଚାମରକୁନ୍ତଳା ବସନ୍ତେ ରୁଷି,

ଚିନ୍ତାଜଳେ କେଉଁ ତରୁଣ ଭାସି ।

ଚତୁରା ସହଚରୀ ଆଗେ ବୋଲେ,

ଚିତ୍ତରେ କି ଘେନି ଟିକିଏ ହେଲେ । ୧ ।

 

ଚରମ ଆଡ଼େ ଡରି ଉଭା ହେଲି,

ଚାକର ଛାମୁରେ ଭେଟୁଛି ବୋଲି ।

ଚାଟୁ ଚାତୁରୀ ଚଟୁଳବଦନ,

ଚାରିଶ ପଦ କଲି ନିବେଦନ । ୨ ।

 

ଚିବୁକ କମ୍ପାଇ ହୋଇ ବିକଳ,

ଚିରିଲା ଚରଣ ନଖେ ଭୂତଳ ।

ଚିର ଅରଜିତ ସ୍ନେହସମ୍ପଦେ,

ଚଡ଼କ ପକାଇ ନିର୍ଦ୍ଦୟେ ହୃଦେ । ୩ ।

 

ଚିନାଏ ଅପରାଧ ନାହିଁ ବୋଲି,

ଚେଳ ଅଞ୍ଚଳ ପ୍ରସାରି କହିଲି ।

ଚଣ୍ଡମୂରତି ଧଇଲା କା ବୋଲେ,

ଚରଣ ପଙ୍କଜ ଧଇଲେ ହେଲେ । ୪ ।

 

ଚମ୍ପକଗଉରାଙ୍ଗୀ ପ୍ରଭୁପଣେ,

ଚେଟୀଙ୍କ ତୁଲେ ମୁଁ ହୋଇଲି ଜଣେ ।

ଚେର ଦେବା କାଳେ ମୋ ଭାଗ୍ୟବଲ୍ଲୀ,

ଚଳି ଉପୁଡ଼ାଇ ଦେଲା କି ବୋଲି । ୫ ।

 

ଚଢ଼ାଇ ଉନ୍ନତ ସୁଖପାଦପେ,

ଚକିଆଇ ମୂଳୁ କାଟିଲେ କୋପେ ।

ଚିକ୍‌କଣ ନୁହଇ ବୋଲି ନ ଜାଣି,

ଚିଟା ହେଲା ମୋରେ କାହୁଁ କି ଶୁଣି । ୬ ।

 

ଚଣ୍ଡାଳ ଦୁର୍ଯୋଗରୁ ହୋଇ ଦୋଷୀ,

ଚିହ୍ନ ଯେବେ ମୋରେ ରହିଛି ଗ୍ରାସି ।

ଚଦି ଥରେ ଆଗ ପଛେ ନବୀନା,

ଚତୁର୍ଥ ଉପାୟ କରନ୍ତା ସିନା । ୭ ।

 

ଚାତୁର୍ଯ୍ୟବତୀ ନଉକରି କରି,

ଚାଲି ନ ଜାଣେ ମୁଁ ଗରବେ ପୂରି ।

ଚିରାଳ ଯୁବାଗଣେ ବାନ୍ଧିଥାଇ,

ଚୂନା କରି ମୋର ତେଡ଼େ ବଡ଼ାଇ । ୮ ।

 

ଚାରୁବେଶାର ମୁହିଁ ଅନ୍ତରଙ୍ଗ,

ଚଉପଦୀ ଗୀତ ରଚନା ସଙ୍ଗ ।

ଚଉଠେ ନ ରଖିଲା ସେ ସ୍ନେହରୁ,

ଚପଳେ ଛଡ଼ାଇ ଦେଇ ଦେହରୁ । ୯ ।

 

ଚାମୀକରସାରଦେହା ଦେହରେ,

ଚୀନ ବାସ ପରି ଦିନ ଯେ ହରେ ।

ଚଉକେ ଅନ୍ତର ନୁହଇ କେବେ,

ଚୋର ହେଲି ତାହା ଛାମୁକୁ ଏବେ । ୧୦ ।

 

ଚିହ୍ନିଥାଇ ଯାକୁ କାଳକେ ଦିନେ,

ଚେତି ତ ପୁଣି ସେ ପଡ଼େ ନୟନେ ।

ଚାଦରଧରାକୁ ଏହା କି କରି,

ଚତୁରକ୍ଷ କେବେ ନ ହେଲା ପରି । ୧୧ ।

 

ଚଣ୍ଡମୟୁଖମଣ୍ଡଳ ସମାନ,

ଚାହୁଁ ଚାହୁଁ ଯହୁଁ କଲା ବଦନ ।

ଚାବୁକ ବାଜିଲା ପରି ମୁଁ ଡରେ,

ଚିହିଁକି ପଡ଼ଇ ପହିଲୁ ଥରେ । ୧୨ ।

 

ଚମରୀନେତ୍ରା କି ସୁଖ ପାଦରେ,

ଚକଟି ପକାଇଲା ଅନାଦରେ ।

ଚଖାଇ ସୁଧା ଯା କଲା ଅନ୍ୟଥା,

ଚମତ୍କାର ଲାଗୁଛି ଏହି କଥା । ୧୩ ।

 

ଚିରନ୍ତନ ଜନ୍ମ ସୁକୃତ ରାଶି,

ଚନ୍ଦ୍ରଚୂଳପାଦ ପ୍ରସାଦେ ମିଶି ।

ଚାଣ୍ଡେ ଦେଇଥିଲା ବାଳାମଣିକି,

ଚିପୁଡ଼ି ଦେଲା ସେ ଭାବ ଏଣିକି । ୧୪ ।

 

ଚେତ ମୋ ଯେବେ ନ ବଳେ ଅନ୍ନକୁ,

ଚକାମୁଆଁ ଶହେ ଦେବୀମାନଙ୍କୁ ।

ଚଳୁଆ ସ୍ମର ଶାର୍ଦୁଳକୁ ଘେବେ,

ଚର୍ବଣ କର ବୋଲି ଦେଲା ଏବେ । ୧୫ ।

 

ଚିକିତ୍ସାଭଙ୍ଗୀ ମୋ ଅଙ୍ଗରେ ହେଜି,

ଚଣ୍ଡିକା ସ୍ତୋତ୍ର ପଣ୍ଡିତାଙ୍କୁ ଖୋଜି ।

ଚନ୍ଦ୍ରଚନ୍ଦନ ବୋଳାଇ ମୋଦରେ,

ଚାପସରି କାଢ଼ି ଦିଏ ଆଦରେ । ୧୬ ।

 

ଚାଳଇ ଯେବେ ମୁଁ ଶୁଭ ସନ୍ଦେଶ,

ଚିଟାଉରେ ଲେଖି ରହି ବିଦେଶ ।

ଚାଙ୍ଗଡ଼ାଘର ଜୂରେ ଫରମାସେ,

ଚରଚା କରେ ଚାରକୁ ହରଷେ । ୧୭ ।

 

ଚନ୍ଦ୍ରକୁ ଚନ୍ଦ୍ରିକା ପିଇବା ଆଶେ,

ଚକୋର ପରି ଅନୁସରି ପାଶେ ।

ଚିନ୍ତୁଥାଇ ଅସାଧାରଣ ଫଳ,

ଚହକିଲା କାଳେ ସମ୍ପତ୍ତିମୂଳ । ୧୮ ।

 

ଚିକୁରପାଶରେ ଦନ୍ତପତ୍ରିକା,

ଚଳାଇବାକୁ ହେବାରୁ ମୋ ଦକା ।

ଚାକୁରେ କରଜ ଚିରୁଣୀ ପରି,

ଚିରି ସଜଡ଼ାଇ ଆଶ୍ୱାସୀ କରି । ୧୯ ।

 

ଚେତା ବିହୁନେ ପହୁଡ଼ିବା କାଳେ,

ଚିତ୍ରଇ-ଚରଣ ଅଳତା ବୋଳେ ।

ଚେତିଲେ ଯାହା ବୋଲେ ଲଭି ଲାଜ,

ଚେତାଉ ନାହିଁ ସେ ରସକୁ ଆଜ । ୨୦ ।

 

ଚନ୍ଦ୍ରିକାବିହୀନ ରଜନୀକାଳେ,

ଚାନ୍ଦନୀସୋପାନ ଉଠିବାବେଳେ ।

ଚନ୍ଦ୍ରଦୀପ ତା ଛାମୁରେ ନ ଥିଲେ,

ଚେତନା ମୋ ଦେହେ ନ ଥାଇ ଭଲେ । ୨୧ ।

 

ଚାନ୍ଦୁଆ ଅବନ୍ଧା ମନ୍ଦିର ତଳେ।

ଚାଲଇ ଯେବେ କେବେ କୁତୂହଳେ ।

ଚଉପହରା ଦାସୀଙ୍କ ଉପରେ,

ଚାପଡ଼ ଫରମାସଇ କୋପରେ । ୨୨ ।

 

ଚାକଚକ୍ୟବନ୍ତ ସୁନ୍ଦର ଗାଲେ,

ଚୁମ୍ବଇ ଯେବେ ମୁଁ କାମଅନଳେ ।

ଚମକିବ ଭୀରୁ ବୋଲି ଏ ଡରେ,

ଚୁମୁତ୍କାର ରବ ନ କରେ ଥରେ । ୨୩ ।

 

ଚଉଦରୁ ବଳି ବୟସ ହେଲା,

ଚଞ୍ଚଳ କ୍ରମ ତା କେବେ ନ ଗଲା ।

ଚାକିରି କଲେ କରୁଥାଏ ହଟ,

ଚଉଡ଼ାଇ ଦେଇ କି ସ୍ନେହ ଘଟ । ୨୪ ।

 

ଚୁହାଁ ଚୁହିଁ ନାହିଁ ଆନରେ ବୋଲି,

ଚକାରେ ନିୟମ ଯେତେ ମୁଁ କଲି ।

ଚଉବିଂଶ ପଦୁଁ ବଳେ ଗଣିଲେ,

ଚତୁର ଶ୍ରୀ ଛୋଟରାୟ ଭଣିଲେ ।

ଚାହିଁଲା ତ ନାହିଁ, ଚକ୍ଷୁକୋଣେ ଚାରୁଚନ୍ଦ୍ରମାମୁହୀଁ । ୨୫ ।

Image

 

ସେ ପୀରତି ସତେ

(ରାଗ: ଆଷାଢ଼ଶୁକ୍ଳ)

 

ସେ ପୀରତି ସତେ, କି ପଦାର୍ଥ କହ ପଣ୍ଡିତେ ମୋତେ । ଘୋଷା ।

ଶାରଦା ନୁହେ କରେ ବାବଦୂକ,

ଅମଳ ନୋହେ ଅତି ଉନ୍ମାଦକ,

ହୋଇ ହୃଦୟ ଅଦୃଶ୍ୟ ପଦକ,

ହଜାଇ ଦିଅଇ ବିବେକଯାକ । ୧ ।

 

ସୁମ ନୋହି କରେ ଦିବ୍ୟ ସୁଗନ୍ଧ,

ସମଜଇ ନାହିଁ ନୁହଁଇ କନ୍ଧ,

ପଟଳ ନୋହି ଚକ୍ଷୁ କରେ ଅନ୍ଧ,

ଶୃଙ୍ଖଳ ନୋହେ ଦୃଢ଼େ କରେ ବନ୍ଧ । ୨ ।

 

ନୋହେ ବଇରାଗ୍ୟ ତେବେ ସେ ଦେହେ,

ତାହା ବିନା ଯତ୍ନ ଲବେ ନ ରହେ,

ଅଜ୍ଞାନ କରେ ମୂର୍ଖପଣ ନୋହେ,

ଅନ୍ନ ନୋହି ଶୀର୍ଣ କରେ ବିରହେ । ୩ ।

 

ନୋହେ ଚନ୍ଦ୍ରକର କରେ ଆହ୍ଲାଦ,

ଅମୂତ ନୁହେଁ ସେ ତହୁଁ ସୁଆଦ,

ଚିନ୍ତା ନୁହେଁ ଜାତ କରେ ବିଷାଦ,

ବଢ଼ାଏ ଗରବ ନୁହେଁ ସମ୍ପଦ । ୪ ।

 

ନୁହଇ ଶରୀରରଖା ମନ୍ତର,

ଦର ହେତୁରୁ ନ ଜନ୍ମାଏ ଦର,

ହୁଏ ନିଦାନଭୂତ ବିନାଦର,

ପଲ୍ଲବାଏ ଅସଦୃଶେ ଆଦର । ୫ ।

 

ନୋହେ ଘୂକନେତ୍ରଗୋଳା କଜ୍ଜଳ,

ଦୃଶ୍ୟ କରାଏ ଗାଢ଼ତମ ସ୍ଥଳ,

ଲଙ୍ଘାଏ ଦୁର୍ଗ ନୋହେ ଜଙ୍ଘାବଳ,

ବୁଡାଇ ଦିଅଇ ନୁହଇ ଜଳ । ୬ ।

 

ଅତି ଚମତ୍କାରତର ତା ଲୀଳା,

ନାହିଁ ଦେହ ନୁହେଁ ଚିତ୍ରକୁଶଳା,

ଲେଖେ ସଂସାରେ ନ ରଖି ତୁଳା,

ପ୍ରତି ଦିଗେ ପ୍ରିୟଜନ ପିତୁଳା । ୭ ।

 

ଅଭିପ୍ରେତ ଗଲେ ନୟନେ ପଡ଼ି,

ଅଟକଇ ପଦ ନୁହଇ ହଡ଼ି,

ନ ଥାଏ ଭୁଜ ରହିଥାଏ ଭିଡ଼ି,

ନୁହଇ ପରାଣ ନୁହଇ ଛାଡ଼ି । ୮ ।

 

ପୁତ୍ର କଳତ୍ର ସମ୍ପତ୍ତି ଆବାସେ,

ରୁଚି ବିନା ବିଷ ପରି ଆଭାସେ,

ଚିନ୍ତା ଜନ୍ମାଇ ଦିଅଇ ମାନସେ,

ଆହା କି ବିଚିତ୍ର ରସନ୍ଦୀ ସେ । ୯ ।

 

ବିଚ୍ଚେଦ କ୍ଷଣ କରଇ ବରଷେ,

ସଙ୍ଗମେ ଅଶେଷ ସୁଖ ବରଷେ,

ବର ଆକର ସବ ଭାବର ସେ,

ଅତି ବିଷମ ହୁଏ ନବ ରସେ । ୧୦ ।

 

ସନ୍ତପ୍ତ କରେ ନୁହଇ ତପନ,

ଅନ୍ତକ ନୁହେ ହରଇ ଜୀବନ,

ମନୁ ଜନମେ ନୁହଇ ମଦନ,

ଦନୁଜ ନୋହେ ସେ ପିଶିତାଶନ । ୧୧ ।

 

ନୁହଇ ପରଶୁ କେଦାର ପରି,

ପାରଇ ଫଣୀଫଣାମଣି ହରି,

ମନୋରଥେ ପଥେ ନ ଥିବା ଶିରୀ,

ହେଳେ ଦିଅଇ କରଗତ କରି । ୧୨ ।

 

ନୋହେ ବହଳ ଉପାନହ ଯୋଡ଼ି,

କଣ୍ଟକେ କଟାକ୍ଷ ନ କରେ ଅଡ଼ି,

ବୃଷ୍ଟିବାରଣ ଛତ୍ର ନ ପକଡ଼ି,

ନ ମାନେ ନଭମାସ ନିଶା ଝଡ଼ି । ୧୩ ।

 

ନୁହଇ ପାଷାଣ ମୂଷା ସମାନ,

ନ ମାନେ ରାଢ଼ପଣେ ଦାଢ଼ ମୁନ,

ନୁହଇ ଖେଚର ସିଦ୍ଧସାଧନ,

ଧନଦାଳୟକୁ ପେଷଇ ମନ । ୧୪ ।

 

ଫଳେ ନାନାଫଳ ନୋହେ ବ୍ରତତୀ,

ସ୍ମର ସହଚରୀ ନୁହେ କେଳତି,

ମର୍ମରେ ଭେଦଇ ନୁହଇ କାତି,

ମଦିରା ନୋହି ଯା ହରଇ ଜାତି । ୧୫ ।

 

ଅତ୍ରି ମୁନିଙ୍କର ଗୋତ୍ର ସମ୍ଭବୀ,

ଭୂଦେବ ରାୟଗୁରୁ କବିରବି,

ସଂଶୟ ଧ୍ୱଂସ ନୋହିବାରୁ କିଛି,

ବିଚାରୁ ମାନସେ ପଚାରୁଅଛି ।

ସେ ପୀରତି ସତେ,

କି ପଦାର୍ଥ କହ ପଣ୍ଡିତେ ମୋତେ । ୧୬ ।

Image

 

ଛୋଟ ଢୁମ୍ପା

 

ତୋ ଚାରୁ ଚାହାଣି ଚାହିଁ, ମରି ତୁ ଆବୁର ସାରି ପକା ପଛେ,

ମୋ ନିଆଳୀ, ମୋ ଦେହ ତ ସହୁ ନାହିଁ । ୧ ।

 

ଦିଅ ଯେତେ ଇଚ୍ଛା ଦଣ୍ଡ, ଝୁମି କାମ ସଙ୍ଗେ ଝୁଣି ଦେବି ସିନା,

ମୋ ନିଆଳୀ, ଝଲି ଝଲମଲ ଗଣ୍ଡ । ୨ ।

 

ହେବୁଟି କି ଶିରଗଭା, କାଳ ସହୁନାହିଁ ବାଳମୃଗଦୃଶା,

ମୋ ନିଆଳୀ, ନୂଆ ବିକଶିତ ଶୋଭା । ୩ ।

 

ତୋହ ପରି ତୁହି ସିନା, ବିଜେ କଲା ପୁରେ ପୁରି ରହିଥାଏ,

ମୋ ନିଆଳୀ, ବନଜ-ବନ-ବାସନା । ୪ ।

 

ଅଛି ଯେବେ ଅନୁକମ୍ପା, କାତି ଝିଙ୍କି ପଛେ ଛାତିରେ ପ୍ରହାର,

ମୋ ନିଆଳୀ, ହୀରା ବୁଲାକି ନ କମ୍ପା । ୫ ।

 

ପାସୋର ବାସର ଲାଜ, ପଛକୁ ପକାଇ ନ ଦେଲେ ନ ଚଳେ,

ମୋ ନିଆଳୀ, ବିଧି ନିଷେଧକୁ ଆଜ । ୬ ।

 

ତୋ କୁଚ ତ କରକଶ, ସବୁ ଗୁମାନ ଆଉ କେତେବେଳକୁ,

ମୋ ନିଆଳୀ, ଥରେ ମୋହ କରେ କଷ। ୭ ।

 

ଚୁମ୍ବନେ କଲେ ଶରଧା, ଚରଣଠାରୁ କବରୀଯାଏ ତୋର,

ମୋ ନିଆଳୀ, କାହିଁ ପୂରି ନାହିଁ ସୁଧା । ୮ ।

 

ଚତୁରଦଶ ଭୁବନେ, ରସବତୀ ଚକ୍ର ଚୁଡ଼ାମଣି ବୋଲି,

ମୋ ନିଆଳୀ, ତୋ ବିନା ଆନେ ନ ମାନେ। ୯ ।

 

କାହିଁକି ଚାଲୁ ତୁ ତଳେ, ଘାଣ୍ଟି ହେଉଅଛି କଣ୍ଠୀରବମଧ୍ୟା,

ମୋ ନିଆଳୀ, ମୋ ମନଯାକ ବିକଳେ । ୧୦ ।

 

ଆନ ନାହିଁ ତୋର ବିନା, ଅଷ୍ଟଦୁର୍ଗଧରାବର ଆରେ ଧୀରା,

ମୋ ନିଆଳୀ, ତୋହର ଅଧୀନ ସିନା । ୧୧ ।

Image

 

ଜାଇଫୁଲ ଢୁମ୍ପା

 

କରୀଗତି ଚାନ୍ଦମୁହିଁ,

କରି ଗତି ରସେ ରଜନୀ ପୁହାଏ,

ଜାଈଫୁଲ ରେ, ତୋ ରୂପ ଲାବଣ୍ୟ ଚାହିଁ । ୧ ।

 

ଖରପରଶୁମୋହନା,

ଖଣ୍ଡପରସା ବଚନକୁ କହ,

ଜାଈଫୁଲ ରେ, ଖଣ୍ଡ ହୃଦୟ ବେଦନା । ୨ ।

 

ଗିରୀଷମ କାଳେ ଧନ,

ଗିରିସମ କୁଚେ ଲେପି ଚନ୍ଦନ,

ଜାଈଫୁଲ ରେ, କରୁଥାଉ ଆଲିଙ୍ଗନ । ୩ ।

 

ଘନସାର ମୋ ହୃଦରୁ,

ଘନସାରକେଶୀ ଝାଡି଼ ଦେଇ କରି,

ଜାଈଫୁଲ ରେ, ଗାଢେ଼ ଆଲିଙ୍ଗନ କରୁ । ୪ ।

 

ନାଗରମଣିକି ତତେ,

ନାଗମଣିକୁମ୍ଭସ୍ତନା ସମାନ ରେ,

ଜାଈଫୁଲ ରେ, ହୋଇବେ ନୋହେ ପରତେ । ୫ ।

 

ଚନ୍ଦ୍ରମୁହୀଁ ପ୍ରାଣଧନ,

ଚନ୍ଦ୍ର ମୁହିଁ ଚାଳି ରତି କଲା କାଳେ,

ଜାଈଫୁଲ ରେ, ଶୀତ୍‌କାରେ ଭଜୁ ଅଜ୍ଞାନ । ୬ ।

 

ଛାଇ ବିପରୀତ ମୋର,

ଛାଇଟି ପରାଏ ଦେହକୁ ନ ଛାଡେ଼,

ଜାଈଫୁଲ ରେ, ସେରୂପେ ଥିବି ପାଶର । ୭ ।

 

ଜାତୀକରଜା ସୁକେଶୀ,

ଜାତିକର ଦିବ୍ୟହୀରକ ସୁଦନ୍ତୀ,

ଜାଈଫୁଲ ରେ, ଚନ୍ଦ୍ରଚନ୍ଦ୍ରମା ସୁହାସୀ । ୮ ।

Image

 

କାମଦୁହା ଚଉତିଶା

ରାଗ-ପୁରବୀ

 

କିଶୋରୀଙ୍କ ବର ଯଦୁପତି, କରି ଚିର ପରବାସେ ସ୍ଥିତି ।

କୁନ୍ଦକଇରବହାସୀଙ୍କ ପୂରୁବ ରସବଶ ହୋଇ ଜଳପନ୍ତି ।

ଆରେ କଳଭାଷି କୃଶୋଦରୀ କମନୀୟ ମୁଖଶଶୀ ।

କଳାକଲ୍ଲୋଳିନୀ କେଳିକଳହଂସୀ, କାମ ମଦିରା ମହତ୍ତ୍ୱ ସମୁଲ୍ଲାସୀ । ୧ ।

ଖଟଣି କିଙ୍କରଙ୍କର ମେଳେ, ଖଟିଥିବ ଯେ ତୋ ଖଟତଳେ ।

ଖମଣିମଣ୍ଡଳ ଜିଣି ଯିବା ଫଳେ ଲୁଟିଯିବ ତା ଚରଣ ମୂଳେ

ଆରେ ଖେଳାଲୋଳା, ଖଞ୍ଜରୀଟରୁ ବଳେ ତୋ ନେତ୍ରଲୀଳା ।

ଖୁରିଅର୍ଦ୍ଧ ନ ଥାଇ ସ୍ନେହରେ ହେଳା, ଖଣ୍ଡପରଶୁ ମନମୋହନଶୀଳା । ୨ ।

ଗତିରେ ବିବିଧ ଭଙ୍ଗୀ ଭରୁ, ଗଜେନ୍ଦ୍ର ଗରବେ ହେଳେ ହରୁ ।

ଆରେ ଗଣ୍ଠିଧନ, ଗୁଣବତୀ ମୁଁ ଚାତକ ନବଘନ ।

ଗତରସ ହେଲା କେତେ ସୁଖମାନ, ଗର ଗିଳିବାକୁ ହେଉଅଛି ମନ । ୩ ।

ଘଟପୀନସ୍ତନା ଚାରୁ ବେଣୀ,ଘେନାଘେନି କେତେ ଜାଣୁ ପୁଣି,

ଘୋରତର ସ୍ମରପ୍ରତାପ ସାଗର ମଧ୍ୟରୁ ତୁ ମୋର ଉଦ୍ଧାରିଣୀ ।

ଆରେ ଘନକେଶା, ଘନଜଘନା ମହୀମଣ୍ଡଳ – ବେଶା ।

ଘୋରା ଶ୍ରୀଖଣ୍ଡବାସିନୀ ବରଯୋଷା, ଘାରି ପକାଇଛି ତୋ ବିଚ୍ଛେଦଦଶା । ୪ ।

ନ ପାରେ ମା ବୋଲି ଅଡ଼ୁଥାଉ, ନମ୍ରେ କରଯୁଗ ଲୋଡ଼ୁଥାଉ ।

ଆରେ ନତ ଅଙ୍ଗୀ, ନୂଆ ବୟସୀ ନର୍ମଚଞ୍ଚଳାପାଙ୍ଗୀ ।

ନେତ୍ର ବରିଛି ତୁ ଏକା ଜାଣୁ ଫିଙ୍ଗି, ନାହିଁ କରିବାରେ ଥାଏ କେତେ ଭଙ୍ଗୀ । ୫ ।

ଚରଣୁ ଚିକୁର ଯାଏ ତୋର, ଚୁମ୍ୱିବାରେ ଚିତ୍ତ ଥାଏ ମୋର,

ଚେତା ବିହୀନେ ପହୁଡ଼ିଥାଉ, ଚେଳ ଚୋରାଇ ମୁଁ କରେ ଦିଗମ୍ୱର ।

ଆରେ ଚନ୍ଦ୍ରମୁଖୀ, ଚେତି ଚମକି କି ଲାଜେ ବୁଜୁ ଆଖି ।

ଚେଳ କରୁ ମୋତେ ମୋ ଅଙ୍ଗରେ ଲାଖି, ଚକ୍ଷୁଇଷ୍ଟଅଙ୍ଗ ନ ପାରଇ ଦେଖି । ୬ ।

ଛଣା ପୀୟୁଷ ସଦୃଶ ରସେ, ଛପିଥାଏ ଲାଜ କି ବିଳାସେ,

ଛ ଚାରିଦିଗ ସୁନ୍ଦର ଦିଶୁଥାଏ, ଛଇଳା ଲାବଣ୍ୟ ପରକାଶେ ।

ଆରେ ଛବିନିଧି, ଛାମୁ ଛାଡ଼ିବାକୁ କଲା ମନ୍ଦ ବିଧି ।

ଛେଚି ହୋଇବାକୁ ଜାତ ହୁଏ ବୁଦ୍ଧି, ଛେଲ ମାରି ହେବି ରହିଥାଉ ସିଦ୍ଧି । ୭ ।

 

ଜପାମାଳା ତୁ ମୋ ସ୍ୱନିବାସୁ, ଯେତେବେଳେ ନିକୁଞ୍ଜକୁ ଆସୁ,

ଜଙ୍ଗମ ହେବାର ଜମ୍ୱୁନଦ ସାର ଜଗତଜୀବା ତୁ ପରି ଦିଶୁ ।

ଆରେ ଜବାଧରା, ଜମ୍ଭାରାତି ମଣି ନୀଳତର ତାରା ।

ଜମ୍ୱୁନଦ ଧରାଧର ପୟୋଧରା, ଜକାଜକି କଉତୁକ ଧୁରନ୍ଧରା । ୮।

 

ଝୁଲି ଝୁଲି ଚାଲୁ ମୋଦ ମଦେ, ଝୁମୁ ଝୁମୁ ତୋ ଝୁଣ୍ଟିଆ ନାଦେ ।

ଝଟତି ନିର୍ଜରପ୍ରଭୁ – ଶିରୀ ଶିର ଝରାକୁ ମୁଁ ଝୁଣ୍ଟିଯାଏ ପାଦେ ।

ଆରେ ଝଳି ଗୋରୀ, ଝୁଲି ଜାଣୁ ଭଲା ହେଲେ ମୋହ ପରି,

ଝଲକର ଝାଳବ୍ୟାଜ ସୁଧା ଝରି, ଝଟ ଝଟ ହେଉଥାଏ ଭୂଷା ଶିରୀ । ୯ ।

ନମ୍ରମୁଖେ ମଣିସାନୁ ଥାଏ, ନିକଟେ ପୀୟୂଷଭାନୁ ଥାଏ,

ନଥ ତୁଲେ ନାଟ ବାଦେ କରି ହଟ ମୁଲାକି ଝୁଲା କି ମାନୁଥାଏ ।

ଆରେ ନାରୀବର, ନୃତ୍ୟ କରୁଥାଏ ପୟୋଧରେ ହାର ।

ନେତ୍ରଦ୍ୱୟ ଏକା ସିନା ସାକ୍ଷୀ ମୋର, ନାଦେ ତୋଷୁଥାଏ ମଧ୍ୟ ଅଳଙ୍କାର । ୧୦ ।

ଟୋପି ଟୋପି ଝାଳ ଚୂର୍ଣ୍ଣ କେଶେ, ଟିକି ଟିକି ମୋତି ପରି ଦିଶେ,

ଟେକି ଟେକି ଘେନି ଯାଉଥାଉ ସ୍ୱର୍ଗସୁଖ ବଡ଼ଭୀକି ବଡ଼ ରସେ ।

ଆରେ ଟଭାସ୍ତନା, ଟଳି ପଡ଼ୁଥାଏ ମୋର ବିବେଚନା ।

ଟାଣି ଘେନିଯାଉ ହେଳେ ମୋ ବେଦନା, ଟିକାୟତ ତୁ ରସିକାଚକ୍ରେ ସିନା । ୧୧ ।

ଠ- ବର୍ତ୍ତୁଳ ମୁଖ ସୁଧାଧାମ, ଠାଣି ତ ତ୍ରିଲୋକେ ନିରୁପମ,

ଠୁଳ ହେଉଥାଏ ଥରେ ଥରେ ନେତ୍ର ନୀଳକୁଞ୍ଜ ବୁଜା ଶୋଭାସ୍ତୋମ ।

ଆରେ ଠିକହାସି, ଠକପଣ ପୁଣି କିଛି ଥାଏ ମିଶି ।

ଠଉରାଇବ କେ ତୋ ବିଭ୍ରମରାଶି, ଠାର ନେତ୍ରାନ୍ତ ମନେମୋହନପାଶୀ । ୧୨ ।

ଡରୁଆଟି ପରି ଟେକି ଚିଲ୍ଲୀ, ଡ଼େରି କର୍ଣ୍ଣପାଶ ନ ଚହଲି ।

ଡାକିଲେଣି ସଖୀ ଦେଉଅଛି ରଖି ଏବୁକୁ ଏତିକି ହେଉ ବୋଲି ।

ଆରେ ଡାକିକଟି, ଡିଆଁ ମାରି ଯିବାକୁ ବସନ୍ତେ ହଟି ।

ଡକା କରଇ ମୁଁ ବନ୍ଧୁ ସରିଲିଟି, ଡୋଳା କରାଉ ଅପାଙ୍ଗତଟି ନଟୀ । ୧୩ ।

 

ଢାଳି ଅନୁକମ୍ପା ରସଝର, ଢୁକାଇ ମୋ ଉରେ ପୟୋଧର ।

ଢୋକେ ଢୋକେ କରି ପିଆଉ ନାଗରମଣି ଅତି ସ୍ୱାଦୁ ଶୋଣାଧର ।

ଆରେ ଢଳାଡ଼ୋଳା, ଢାଙ୍କି ପକ୍ଷ୍ମ ଫେଡ଼ି ପୁଣି ରଚୁ ଖେଳା ।

ଢକ୍‌କା ସ୍ମରଣେ ତୋ କିଙ୍କିଣୀମାଳା, ଢମ ଢମାଳୀ ଶ୍ରବଣେ ଅନୁକୂଳୀ । ୧୪ ।

 

ଅସିତ ତିଳକ ଲଳାଟରେ, ଅଳିକି ଅନାଇ ଅଳୀକରେ,

ଅମ୍ଳାନ ଶ୍ରୀମୁଖସରୋଜରେ ମୋତେ ଅଳି କର ବୋଲି ଅଳୀକରେ ।

ଆରେ ଅନିନ୍ଦିତା, ଅଙ୍ଗୀକାର କରୁ ହୋଇ ଆନନ୍ଦିତା ।

ଅନର୍ଗଳ ଅଧିକାର ପରିଚିତା, ଅନଳପ ସୁଖଦାନ କଳ୍ପଲତା । ୧୫ ।

 

ତୁଙ୍ଗସ୍ତନେ ମୋତେ କରଭୋରୁ, ତରଳ ମସାର ନିତି କରୁ,

ତରଶିଜାତଟ ତାପିଞ୍ଚ ବିଟପ ତଳେ ନ ସଞ୍ଚରୁ ନିନ୍ଦା କରୁ ।

ଆରେ ତନୁଦରି, ତାକ ତରକ ତୁ ଜାଣୁ କେତେ ପରି ।

ତୁଳା ତିଳକେ ତ୍ରିଲୋକେ ନାହିଁ ସରି। ତାପତମକୁ ତପନକର ଶିରୀ । ୧୬ ।

 

ଥାଏ ତ ରତେ ନିରତେ ମନ, ଥରେ ମୁଁ ସ୍ମରେ ପକାନ୍ତେ ଆନ,

ଥରୁଟିକୁ ଆଉ ଅଧିକ ନାହିଁଟି ଭାଷି ହସି କରୁ ଆଲିଙ୍ଗନ ।

ଆରେ ଥିରମତି, ଥାନ ବାକି ନ ରଖେ ମୋ ଚୁମ୍ୱତତି ।

ଥୋକେ ହେଲେ ଜିଣଇ କି ରତିପତି, ଥରି ଥରି ଭିଡ଼ୁ ମୋତେ କୁନ୍ଦଦନ୍ତୀ । ୧୭ ।

 

ଦୃଷ୍ଟିକୋଣ କରି ଅପଲକ, ଦେହବଲ୍ଲୀ କରି ସପୁଲକ

ଦୃଢେ ମୋ ମଧ୍ୟକୁ ଉରୁଯୁଗେ ଭିଡ଼ୁ ପଦଭୂଷା କରି ବ୍ୟବଦୂକ ।

ଆରେ ଦୁଃଖିଧନ, ଦୟଜଳଧି-ମୀନ ମୁଁ ତ ଜୀବନ ।

ଦୂର ହୋଇଅଛି କେତେ ସୁଖମାନ, ଦୁଷ୍ଟ ଦଇବ କରିଛି ସିନା ଆନ । ୧୮ ।

 

ଧରିତ୍ରୀମଉଳିଜଚମ୍ପାଗଭା, ଧରି ତ୍ରିଲୋକମୋହନ ଶୋଭା,

ଧୃତିକୁ ତୁ ସିନା ଧମକାଇ ଜାଣୁ, ଧୂର୍ଜଟିପରବଲ୍ଲଭାନିଭା,

ଆରେ ଧୀରାବର, ଧରାଧରି କଲେ ରମ୍ୟ ପୟୋଧର,

ଧରାଧର ପରି ଲାଗେ କି ଦୁର୍ଦ୍ଧର, ଧାରାଧରନୀଳଚେଳ କି ସୁନ୍ଦର । ୧୯ ।

 

ନାନାବନ୍ଧେ ରସୁ ମୋର ଚିତ୍ତ, ନିଶ୍ଚେଁ ଯେବେ ବୋଲେ ମୋ ଶପତ,

ନଖି ନଖି ଦେଖ ବୋଲି ମୋର ସୁଖ ବରଧନା ହେଉ କି ସଂଯତ,

ଆରେ ନଳିନାକ୍ଷି, ନେତ୍ର ମନ ଦୁହେଁ ସେ ସମୟ ସାକ୍ଷୀ,

ନିତି ମାତି ମତେ କରୁ ଯେଡ଼େ ସୁଖୀ, ନିରନ୍ତରେ ତା ମାନସେ ଅଛି ରଖି । ୨୦ ।

 

ପ୍ରଣୟର ପର୍ଯ୍ୟାଲୋଚନାରେ, ପୂରିଥା, କୃପା ଲୋଚନରେ,

ପସନ୍ଦ ପଡ଼ିବ ବୋଲି ସିନା ମାତ୍ର ପରଦା ବନ୍ଧାଉ ବଚନରେ ।

ଆରେ ପ୍ରେମଶୀଳା, ପ୍ରିୟମ୍ୱଦା ତୁହି ମୋ ନେତ୍ରପିତୁଳା ।

ପୁଷ୍ପହାସୀ ତୁହି ଜାଣୁ ପ୍ରୀତିତୁଳା, ପୁଷ୍ପଦଳ ଉତ୍ପଳ ତୋ ତନୁ ତୁଳା । ୨୧ ।

 

ଫଟା କପାଳେ ତ ଅଛି ଲେଖା, ଫେରିଯାଇ ନୋହିବାକୁ ଦେଖା,

ଫେର ଲାଗି ଚେଳଗ୍ରନ୍ଥି କାହୁଁ କୋଳ କରିବି ନାହିଁ ଏ ଶୁଭ ଲେଖା,

ଆରେ ଫନ୍ଦାଧନ ଫରୁଆରୁ ଫିଙ୍ଗିଦେଲି ମୁଁ କାଞ୍ଚନ ।

ଫୁଲବନବିହାରିଣୀ ମୋ ଜୀବନ, ଫେରି ଚାହିଁବା ଚାହାଣୀ କି ମୋହନ । ୨୨ ।

 

ବକୁଳବଲ୍ଲୀ ନିଳୟ ବନେ, ବେଢିଥିଲେ ସହଚରୀମାନେ,

ବାସନ୍ତିକ ଦଳ ବହଳ ବିଛଣା ବିଜେ ବେଳ ଜାଣି ଅନୁମାନେ ।

ଆରେ ବିଧୁମୁଖି, ବେଶ ଫେରାଇଥିଲି ତ ଦୁରୁଁ ଦେଖି ।

ବଡ଼ ବାଲିଶ ପଛେ ରହିଲି ଲାଖି, ବୀଣା ଦେଲା ତୋ ଶ୍ରୀହସ୍ତେ ଏକ ସଖୀ । ୨୩ ।

 

ଭର୍ମଦେହା ସରସିଜବ୍ରଜ, ଭ୍ରମରବର ମୋହନରାଜ,

ଭଣି ଗୀତେ ଏତେ ଆଳାପନ୍ତେ ମତେ ଭୂଷିଦେଲା ଭାଲେ ଝସଧ୍ୱଜ।

ଆରେ ଭୀରୁବର, ଭୁଷୁଡ଼ାଇ ଦେଇ ଫୁଲ ଅପସର।

ଭୁଜେ ଭିଡ଼ି ଚୁମ୍ୱିଲି ସହସ୍ର ଥର, ଭାଜିଗଲା ସେ ସଙ୍ଗୀତ ଆଡ଼ମ୍ୱର । ୨୪ ।

 

ମହାରାଜ ଉପଚାର ଖଟି, ମାତିଥିଲେ ଯେତେ କୃଶକଟୀ,

ମୁଦିର ଶେଷରୁ ହଂସୀ ମାନସରୁ ହେଲା ପରି ହେଲେ ଗୋଟି ଗୋଟି ।

ଆରେ ମଦାଳସୀ, ମଜ୍ଜି ଲାଜେ ମୋ ତନୁରେ ଗଲୁ ମିଶି ।

ମନରଥ ରଣେ ହାରିଗଲା ଖସି, ମହୀ ଚୁମ୍ୱିଦେଲା ଶେଫାଳିକା ଖସି । ୨୫ ।

 

ଯୁକ୍ତିପଣ୍ଡିତାରେ ରତିପତି, ଯାନଜିତ ରାଜହଂସଗତି ।

ଯମକ ଶୃଙ୍ଗାର ରସ ବିଭବର ତୁହି ବୋଲି ହୁଏ ମୋ ପ୍ରତୀତି ।

ଆରେ ଯୋଷାବର, ଯତିମୋହନ ବର୍ତ୍ତୁଳ ପୟୋଧର ।

ଯତ୍ନ କରି ସାଜିଥାଉ ଉରେ ହାର, ଯଥାର୍ଥରେ ସୁଖଦାତା ଅଟୁ ମୋର । ୨୬ ।

 

ରତିଶେଷ କାଳ ଚାଲି ଶିରୀ, ରହିଛି ମୋ ନେତ୍ରଯୁଗେ ପୁରି,

ରସପ୍ରସଙ୍ଗରୁ ରଥାଙ୍ଗଭଙ୍ଗରୁ ମନ୍ଥର ମନ୍ମଥରଥ ପରି ।

ଆରେ ରସିକାଟି, ରଙ୍ଗସ୍ଥଳୀ ମୋ ମନ ତୁ ଲାସିକାଟି ।

ରମ୍ୱା ରତି ଦ୍ୟୁତି ପରହାସିକାଟି, ରୋଷେ କେ ଦେଲା ମୋ ଆଶାରସି କାଟି । ୨୭ ।

 

ଲୁଗାଲାଗିକାଳେ ଦିନା ମୋଦେ, ଲୁଚି ଦେଖୁଥିଲି ଅପ୍ରମାଦେ,

ଲଗଡ଼ ଉରୋଡ଼ ବିଲୋକେ ସ୍ୱୟମ୍ଭୂ ଶମ୍ଭୂ ସ୍ତବ ପଢ଼ିଦେଲି ପଦେ ।

ଆରେ ଲୀଳାବତୀ, ଲାଜେ ରସନାରେ ରଖି ରଦମୋତି,

ଲୋକେ ପଳାଇବାକୁ ବଳାନ୍ତେ ମତି, ଲୋଭେ ଭିଡ଼ି କରାଇଲି ଅଙ୍କେ ସ୍ଥିତି । ୨୮ ।

 

ବୋଇଲି ବସ ରେ ରସବତି, ବସନ ତ ପିନ୍ଧୁଥାଉ ନିତି,

ଦିବସନ ଶିରୀ ଦିବସେ ଏପରି ଦେଖିଲେ ନ କାଟେ ସ୍ମରହେତି ।

ଆରେ ବିମ୍ୱାଧରା, ବିଶ୍ୱ ଲାବଣ୍ୟସାରସମ୍ଭାର – କାରା ।

ବରଷିଲୁ ଶୁଣି ସ୍ମିତ ସୁଧାଧାରା, ବକ୍ଷେ ଜମାଇଲୁ ତହୁଁ ଫେଇ ହାରା । ୨୯ ।

 

ଶୃଙ୍ଗାରକୁ ତ ମୁଁ ରଙ୍ଗ ପରି, ଶଶଧରକୁ ସୁରଙ୍କ ପରି,

ଶିରୋଗର୍ଭ କରୁ ଶୋଣକଞ୍ଜନିଭ ଚରଣ ଯାଏ ଚୁମ୍ବିଲି ଧରି ।

ଆରେ ଶଶିହାସି, ଶୀତପ୍ରବାହେ ଗଲାଇଁ ଦୁହେଁ ଭାସି ।

ଶିରୀ ମଘବାର ହୋଇଗଲା ଦାସୀ, ଶର୍ମ ଏପରି ସ୍ୱପ୍ନ ହୋଇଲା ଆସି । ୩୦ ।

 

ଷଟ୍‌ପଦଚୁମ୍ୱିତ ପୁଷ୍ପପୁଞ୍ଜେ, ଷଟଋତୁ ରମାପୂର୍ଣ୍ଣ କୁଞ୍ଜେ,

ଷଡ଼ାନନତାତ ପରିପନ୍ଥି – ରଣେ ଚୁମ୍ୱିବି ନିକି ତୋ ମୁଖକଞ୍ଜେ ।

ଆରେ ଷୋଳବୟା, ଷଷ୍ଠି ଦଣ୍ଡ ହୋଇବି ତୋ ତନୁଛାୟା

ସରୁ ପାୟେ ହେବୁ କୃତ ପରିଚୟା, ଷଟ ଦୁଇ ଶ୍ରୁତି କରିବେ କି ଦୟା । ୩୧ ।

 

ସୁନ୍ଦରୀ ଚକ୍ରବର୍ତ୍ତିନୀ ବାନା, ସଂସାରେ ସୁନ୍ଦର ତତେ ସିନା

ସୁରସୀମନ୍ତିନୀ ଗୁଡ଼ାକ ତ ଅନିମିଷ ଦୋଷୁ ନେତ୍ରଲୀଳାହୀନା

ଆରେ ସୃଷ୍ଟିଶୋଭା, ସରେ ଉପମା ତୁ ହୋଇଥିଲେ ଉଭା ।

ସରୁ ମଧ୍ୟମା ତ୍ରିଲୋକୀ ଶିରଗଭା, ସରସ୍ୱତୀଙ୍କର ତୁ ସଙ୍ଗୀତ ସଭା । ୩୨ ।

 

ହସିମାତି ହୋଇ ରସଲୋଳ, ହରିବା ପୁରୁବ ପରି କାଳ ।

ହରିତାଳଗୋରୀ ଶ୍ରୀଅଙ୍ଗରୁ ମୁହିଁ ହରିବି କି ସତେ ନୀଳଚେଳ ।

ଆରେ ହାତୀଗତି, ହତକପାଳ ଦେବ କି ଏ ସମ୍ପତ୍ତି ।

ହାରସ୍ଥଳେ ରଖୁଥିବି ତତେ ନିତି, ହଜିଯିବ ମାନସରୁ ଏ ବିପତ୍ତି । ୩୩ ।

 

କ୍ଷୋଭ ଲେଶକୁ ନ ରଖି ମନେ, କ୍ଷଣେ ହେଲେ ଅତି ସାବଧାନେ,

କ୍ଷିତୀନ୍ଦ୍ର ବାଲୁକେଶ୍ୱର ଦେବ ଲୋକେ ବଞ୍ଚିବ କି ତୋ ଚରଣ ଧ୍ୟାନେ ।

ଆରେ କ୍ଷିତିଭୂଷା, କ୍ଷମାମୟୁଖବଦନା ବରଯୋଷା ।

କ୍ଷତି ହୋଇଯାଉଛି ମୋ ପ୍ରତି ଆଶା, କ୍ଷୁର୍ଣ୍ଣ ନୋହି ପୂରିଲା ଏ ଚଉତିଶା । ୩୪ ।

Image

 

ସର୍ପ ଜଣାଣ

(ରାଗ: କାମୋଦୀ)

 

ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦଣ୍ଡେ ଦିଅ ଟାଳି ।

ତୁମ୍ଭଙ୍କୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରି ଦେବି ଗାଳି ହର କୃପାନିଧି ।

କରୁଣାସିନ୍ଧୁ ବୋଲି କରି, କହନ୍ତି ବୁଧେ ଡରି ମରି। କାଳସର୍ପ ଆପଣ,

କବଳ କର ପ୍ରାଣ-ପବନମାନଙ୍କୁ ସବୁରି ହେ କୃପାନିଧି । ୧ ।

 

ଜଳଧି ଅନ୍ତେ ନିଜ, ଘର ଦେବାଧିରାଜ, ବୁଡ଼ାଇ ଦେଇଛ ଆପଣ ।

ତୁମ୍ଭରି ସିନା ଘେନ, ଆଶ୍ଚର୍ଯ୍ୟ ନୁହେ ଆନ, ଜନର ଘରବୁଡ଼ାପଣ ହେ କୃପାନିଧି ।

ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ, ବତାଅ ବୋଲି ଆଜ୍ଞା ହେଲେ ମୁଁ ନୁହେଁ ଘରବୁଡ଼ା,

ବତାଇବାକୁ ଛିଡ଼ା ହୋଇଛି ବତାଇବି ଭଲେ ହେ କୃପାନିଧି । ୨ ।

 

ତାହାକୁ ବୋଲି ଚକ୍ରୀ, ଚକ୍ରଥିବାରୁ ଚକ୍ରୀ, ତୁମ୍ଭେତ ବୋଲାଅ ମଣ୍ଡଳେ ।

ବୋଲାଇ କୁଣ୍ଡଳୀ ସେ ଆପଣ ତ ବିଶେଷେ ଭୂଷିତ ମକର କୁଣ୍ଡଳେ ହେ କୃପାନିଧି ।

ଅଦୃଶ୍ୟ ହେବାରୁ ତ ପାଦ, ତାହାକୁ ବୋଲି ଗୂଢ଼ପଦ ।

ଆପଣା ଚରଣ ତ ବିରଞ୍ଚିକୁ ଗୁପତ କାହିଁ ତାଠାରୁ ତୁମ୍ଭ ଭେଦ ହେ କୃପାନିଧି । ୩ ।

 

ହେବ ବା ଅବଧାନେ, ତାହାକୁ ତ୍ରିଭୁବନେ, ବୋଲନ୍ତି କାକୋଦର ନରେ ।

ଏ ତ୍ରିପିଷ୍ଟପଯାକ ମଧ୍ୟେ ଗୋଟିଏ କାକ ନାହିଁ କି ତୁମ୍ଭରି ଉଦରେ ହେ କୃପାନିଧି ।

ବିବରେ ସେ ଅତି ଲମ୍ପଟ, ବିବର ବିହଙ୍ଗମ ରାଟ, ବିଧିରେ ସେ ଲମ୍ପଟ,

ଆପଣ ସେ ତ ପଟପଟଳେ ହୋଇଅଛ ସ୍ଫୁଟ ହେ ମହାପ୍ରଭୁ । ୪ ।

କାନ ନ ଥାଇ ଆଖି, ଭୁଜଙ୍ଗଠାରେ ଦେଖି, ନୟନଶ୍ରବା ବୋଲି ତାକୁ ।

କହ କମଳାନନ କାହିଁଛ ତୁମ କାନ, ସର୍ପ ବୋଇଲେ ଚଳିବାକୁ ହେ କୃପାନିଧି ।

ଫଣିକାୟାକୁ ବୋଲି ଭୋଗ, ଥିବାରୁ ସେ ଦୁଇ ସଂଯୋଗ,

ତାହାକୁ ବୋଲି ଭୋଗି ତୁମ୍ଭେ କି ନୁହ ଭୋଗୀ କରୁ ଯା ଅଛ ମହାଭୋଗ, ହେ କୃପାନିଧି । ୫ ।

ଯେବେ ଭୁଜଙ୍ଗ ନୁହ, କାଳିୟଠାରେ ଦ୍ରୋହ କଲ କାହିଁକି ଏଡ଼େ କରି ।

କେତେ ନ ଥିଲେ ଗୋପେ, ତୁମ୍ଭେ କାହିଁକି କୋପେ,ତାହାକୁ ଦେଲ ପ୍ରାଣେ ମାରି ହେ କୃପାନିଧି ।

ତାହାରି ନାମେ ତୁମ୍ଭ ନାମ, ଅଦ୍ୟାପି ହୋଇଛି ଜନମ,

ଯେବେ ସ୍ୱଗୋତ୍ର ଦ୍ରୋହ, ନ ଥାନ୍ତା ନାଥ କହ କିପାଇଁ ହୁଅନ୍ତା ଏ କ୍ରମ ହେ ମହାପ୍ରଭୁ। ୬ ।

ଜାଣି ବାଳୁତକାଳୁ, ଲବଣୀ ହାଣ୍ଡିତଳୁ, ଧରି ପାଶରେ ଦୃଢ଼େ ଭିଡ଼ି ।

ଦୟା ନ କରି ତିଳେ, ଯାମଳା ତରୁତଳେ ଜନନୀ ନେଇ ଦେଲେ ଛାଡ଼ି ହେ କୃପାନିଧି ।

ଯେତେକ ଥିଲା ଗର୍ଭେ ପଡ଼ି, ଜୀର୍ଣ ହେବାକୁ ହେଲ ଭିଡ଼ି, ତିନି ଜଗତ ଯାକେ,

ଜାଣି ତ ଥିବେ ଲୋକେ ସେ ତରୁ ଯିବାର ଉପୁଡ଼ି ହେ କୃପାନିଧି । ୭ ।

ବ୍ରହ୍ମା ଶଙ୍କର ମୁଖ୍ୟ, ଦେବଙ୍କଠାରୁ ମୋକ୍ଷପ୍ରଧାନ ଧନ ଗୁପତ କଲ ।

ପତିତକୁ ନ ପୋଷି-ବାରୁ କ୍ରମରେ ଅଶୀବିଷ ପରାଏ ଆଭାସିଲ ହେ କୃପାନିଧି ।

ଅସାବଧାନେ ଗଲେ ମିଳି, ଗୋଟିକୁ ଗିଳଇ କୁଣ୍ଡଳୀ,

ଅଗଣିତ ବ୍ରହ୍ମାଣ୍ଡ ହାଣ୍ଡିମଣ୍ଡଳୀ ରୁଣ୍ଡ କରି ଆପଣ ଅଛ ଗିଳି ହେ କୃପାନିଧି । ୮ ।

 

ଅହିତ ବୋଲାଏ ସେ, ଏକ ଅକ୍ଷର କୋଷେ, 'ଅ'ହିତ ବୋଲାଅ ନିପୁଣ ।

କଂସ ପ୍ରମୁଖାସୁର ବିପକ୍ଷମାନଙ୍କର ଅହିତ ହୋଇଛ ଆପଣ ହେ କୃପାନିଧି ।

ଜଗତେ ଧରି ଯେବେ ଅହି, ଘଟ ଗୋଟିକେ ନେଇ ଥୋଇ, ଅଛ ଯାବତ ଘଟେ,

ବଞ୍ଚାଅ ଯେ କପଟେ, ମୋର ହାବୁଡୁ ଯିବ କାହିଁ, ହେ କୃପାନିଧି । ୯ ।

କେଉଁ ଶିଶୁ କାମିନୀ ସ୍ତନ୍ୟପାନରୁ ଘେନି ଜୀବନ ଯାଇଛି ଜଗତେ ।

ଶୋଷି ପୁତନା ପ୍ରାଣ ଘେନିବାର ଜୀବନ, ନାହିଁକି ତୁମ୍ଭ ଦିବ୍ୟ ଚିତ୍ତେ ହେ କୃପାନିଧି ।

ସକଳ କଥା ମୋର ଦେଖି, ଅଛନ୍ତି ଲକ୍ଷ ଲକ୍ଷ ସାକ୍ଷୀ, ବ୍ରଜେ ଭୁଜଙ୍ଗ ଚାଲି,

କରି ମୁଁ ନାହିଁ ବୋଲି, ଛୁଅଁ ତ ଥରେ ଚକାଆକ୍ଷି ହେ କୃପାନିଧି । ୧୦ ।

ନୁହେ ଆବାସ ଘର, ମାନସ ସରୋବର ଶୁଭିଲା ନାଗେଶ୍ୱର ରବ ।

କ୍ଷଣେ ନ ରହି ଧାଇଁଗଲଟି କାହିଁପାଇଁ, ଆଉ ନ ଥିଲେ କେତେ ଦେବ ହେ କୃପାନିଧି ।

ମନ୍ତ୍ର ଜାଣିବା ଲୋକେ ବଶ, ହୁଅନ୍ତି ସବୁ ଆଶୀବିଷ, ମନ୍ତ୍ରାଧିନ ତ ତୁମ୍ଭେ,

ବଞ୍ଚାଉଅଛ ଦମ୍ଭେ, ଭୁଜଙ୍ଗ ନୁହ ଆଉ କିସ ହେ କୃପାନିଧି । ୧୧ ।

କହଇ କବିସୂର୍ଯ୍ୟ ନାଥ ନୁହ ଅଧୈର୍ଯ୍ୟ ଏଣିକି ମହତ ନ ଯାଉ ।

ମୁଁ ତୁମ୍ଭ ପରିଚାର, ଜାଣିଲେ କି ବିଚାର ଇତରେ ନ ଜାଣନ୍ତୁ ଆଉ ହେ କୃପାନିଧି ।

ଯେତେବେଳେ ମୋ ଅନ୍ତ ହେବ, ଏତିକି ମାତ୍ର ମୋତେ ଦେବ,

ପରେତରାଟ ଦ୍ୱାରସୀମାରୁ ପରିହାର କରାଇ ଯହିଁ ତହିଁ ନେବ ହେ କୃପାନିଧି । ୧୨ ।

Image

 

ଜଗନ୍ନାଥ ଜଣାଣ

(ରାଗ: ତୋଡ଼ିପରଜ)

 

କ୍ଷୀରମୟ ସିନ୍ଧୁ-ଜେମାଜୀବବନ୍ଧୁ,

ତୁମ୍ଭେ ତ ଜଗତପତି ।

ଟେକି ସମ-ଦୃଷ୍ଟିପତାକାକୁ ପୁଣି

ଏ କି ପକ୍ଷପାତ ରୀତି ହେ ମହାପ୍ରଭୁ ।

କେ କି କଲା ମୁଁ ନ କଲି।

କେ କି ଦେଲା ଅବା ମୁଁ ଅବା ନ ଦେବା ଘେନି

ଏତେ ସରି ହେଲି ହେ ମହାପ୍ରଭୁ । ୧ ।

 

ମୃଗ ଯୁବତୀକି ରଖିଲ

ଯେ ନାଶି ମୃଗୟୁ ବିଦ୍ୱେଷ ଦାଉ ।

ଚରଣପଙ୍କଜ ସ୍ମରଣ ବିନା

ସେ କିସ କରିଥିଲା ଆଉ ହେ ମହାପ୍ରଭୁ ।

କୁମ୍ଭୀର ଗ୍ରାସନ୍ତେ ଗାତ୍ର।

ଜନେ କହିବାରେ ଅନେକପ-ରଜା

ମନେ କଲା ସିନା ମାତ୍ର ହେ ମହାପ୍ରଭୁ । ୨ ।

 

ନୃପସଭା ମଧ୍ୟେ ଅସ୍ଥିର ହୁଅନ୍ତେ

ଦ୍ରୁପଦସୁତା ଆବର ।

ଧ୍ୟାନରୁ ତ ଆନ କିଛି କରିବାର କାନ

ଶୁଣି ନାହିଁ ମୋର ହେ ମହାପ୍ରଭୁ ।

ହିତେ ଯେ ଥାଅ ନିରତେ।

ଲାଞ୍ଚ ଦେଇଥିଲେ କାଞ୍ଚନ କେତେ କି

ପାଞ୍ଚ ପଣ୍ଡୁରାଜା ସୁତେ ହେ ମହାପ୍ରଭୁ ।୩ ।

 

ରୂପରେ କେଳତି ଉପରେ ପତାକା

ଦିଆଇଲ ଯେ କୁଜି କି ।

ଯାହା ହୋଇଥିଲା ଯାହା ହେଲା

ତୁମ୍ଭ ପ୍ରସାଦବଶୁଁ ରଜକୀ ହେ ମହାପ୍ରଭୁ ।

ଜଗତେ ତ ତାହା ଜଣା।

ଅନ୍ଧକୁ ନେତ୍ର ମିଳିବାରୁ ହୋଇଛି

ଯଶ ଡିଣ୍ଡିମ ବାଜଣା ହେ ମହାପ୍ରଭୁ । ୪ ।

 

ନଳକୁବରଙ୍କ ଚରିତକୁ

ବୁଧେ ବଳକୁ ଅଛନ୍ତି ଏବେ ।

ପ୍ରହ୍ଲାଦକୁ ମହା ଆହ୍ଲାଦ ଆପଣ

କରିଛ ପରା ପୁରୁବେ ହେ ମହାପ୍ରଭୁ ।

ମୁନିଙ୍କ ଆଶ୍ରମ ଶିଳା।

ତୁମ୍ଭଙ୍କୁ କି ଉପକାର କରି ରୂପବତୀ

ହୋଇ ବିଳସିଲା ହେ ମହାପ୍ରଭୁ । ୫ ।

 

କେବଳ ସୁଦାମା ଦ୍ୱିଜ ନିଜ

ଶକ୍ତି ଅନୁରୁପ ଆଚରିଲେ ।

ଗଳିତାଏ ଖୁଦ ଞ୍ଜର ଦେବାରୁ ଫଳ

ତାଦୃଶ ଲଭିଲେ ହେ ମହାପ୍ରଭୁ ।

ଆଉ କେ କି କଲା କହ।

କାହା କାମକୁମ୍ଭ ପୂରି ନାହିଁ ତୁମ୍ଭ

ଅହେତୁକ ଅନୁଗ୍ରହ ହେ ମହାପ୍ରଭୁ । ୬ ।

 

ଅନନୁଗତ ତୋ ମନ ନୋହେ ବୋଲି

ଆଜ୍ଞା ହେବ ଅବା ମୋତେ ।

ନାମ ସ୍ୱସୁତର ଡାକିବାରୁ ଦିବ୍ୟଧାମ

ଲଭିଲେ କେମନ୍ତେ ହେ ମହାପ୍ରଭୁ ।

ଅଜାମିଳ ମହୀସୁର।

କେଉଁ ସାବଧାନ ହୋଇ ନାମଗାନ

କରିଥିଲେ ସେ ତୁମ୍ଭର ହେ ମହାପ୍ରଭୁ । ୭ ।

 

କବିରବି ରାୟଗୁରୁ ଯୋଡ଼ି

କରଯୁଗକୁ ଛାମୁରେ କହେ,

ଭଲ ଅବା ମନ୍ଦ କରିବାକୁ ତ ମୁଁ ମୋହର

ଆୟତ୍ତ ନୁହେଁ ହେ ମହାପ୍ରଭୁ ।

ସବୁ ତୁମ୍ଭ ଇଚ୍ଛା ସିନା,

ରଖ ବା ନ ରଖ ମୋହରି ଗତି ତ

ପତିତପାବନବାନା ହେ ମହାପ୍ରଭୁ । ୮ ।

Image

 

ମହାବାହୁ ଜଣାଣ ଚଉତିଶା

(ରାଗ କାମୋଦୀ)

 

କମଳବାସିନୀପ୍ରାଣବାନ୍ଧବ ହେ

ଆର୍ତ୍ତତ୍ରାଣ କମନୀୟ କଳାମୁଖଚନ୍ଦ୍ର ।

କମ୍ଭୁମଧ୍ୟପୁରୀ ନୀଳବସୁନ୍ଧରାଚୂଳ

ଗୃହାଗୃହ ବିହାରୀ ପାରିନ୍ଦ୍ର ହେ । ମହାବାହୁ ।

କଉଣପକୁଳକ୍ଷୟଦକ୍ଷ, କୃପଣକାମିତ କଳ୍ପବୃକ୍ଷ,

କହି ନୋହିବା କଦନ,

ସିନ୍ଧୁ ନିମଜ୍ଜନଜନ କର୍ଣ୍ଣଧାରବର ରକ୍ଷ ରକ୍ଷ ହେ । ୧ ।

 

ଖଣ୍ଡପରଶୁ ବନ୍ଦନ, ମୁରଳୀ

ସୁସାବଧାନ ଖମଣିମଣ୍ଡଳମଧ୍ୟବାସୀ ।

ଖଗାଧିପଧ୍ୱଜ ବ୍ରଜ, ଖଞ୍ଜନନେତ୍ରାସମାଜ,

ଚଞ୍ଚଳା କୈାତୁକ ଅଭିଳାଷୀ ହେ। ମହାବାହୁ ।

କ୍ଷୀଣଜନଙ୍କର ଅନ୍ତଃସାର, ଖଣ୍ଡିତ ମେଦିନୀ ଭୟଭାର,

ଖରମୟୁଖର ପୁତ୍ର ଚରକର କରପତ୍ର

ଦରନିବାରଣ ଦୟାକର ହେ । ୨ ।

 

ଗହନେ ଗର୍ଭିଣୀ ଏଣୀ, ଗରିଷ୍ଠ ବିପଦ

ପୁଣି, ଗୁହାରି ଗର୍ଭକ ସ୍ତୁତି କଲା ।

ଗୋତ୍ର ଅମିତ୍ରଙ୍କୁ ଫରମାସିବା ମାତ୍ରକେ

ତାର କେଡ଼େ ବଡ଼ ଦର ଦୂର ହେଲା ହେ । ମହାବାହୁ ।

ଗୋପେ ଗୋବସ୍ଥା ଗୋପିକା ଗୋପ, ଗ୍ରାସି ଦେଉଥିଲା

ଶକ୍ର କୋପ, ଗୋବର୍ଦ୍ଧନ ଗିରିଛତ୍ର, ଟେକି ଟେକି ପଦ୍ମନେତ୍ର ବିହିଲ

ସେ ଉପତାପ ଲୋପ ହେ । ୩ ।

 

ଘନା ଘନଘଟା ଘୋର, ନୃଶଂସ

ହିରଣ୍ୟାସୁର ବାଞ୍ଚି ନିଜ ତନୁକର ବଧ ।

ଘର୍ମାକ୍ତ ତୀବ୍ର କୋପରେ, ଘଟାଇଲା ତା ଉପରେ,

ବଜ୍ରାଧିକ ଅନେକ ଆୟୁଧ ହେ। ମହାବାହୁ ।

ଘେନି ଯୁବାସିଂହ ଅବତାର, ଘାତ-ମାତ୍ରକରେ କରଜର,

ଘଟୀ ଅର୍ଦ୍ଧକରେ ଭକ୍ତ ପ୍ରହ୍ନାଦର ଭୟମୁକ୍ତ, କଲ

ପରା ତୁମ୍ଭେ ଚକ୍ରାୟୁଧ ହେ । ୪ ।

 

ନାଗନାଥକୁ ସଲିଳେ, ନକ୍ର ଆକର୍ଷିଲା କାଳେ,

ଲକ୍ଷ୍ମୀ ଅକ୍ଷ ଖେଳେ ଥିଲ ମାତି ।

ନିରେଖି ସାରକୁ ଭଲେ, ନିମେଷ ମଧ୍ୟେ ଦେଖିଲେ,

ନାଗାରି ହେବାର ଖର ଶ୍ୱାସୀ ହେ । ମହାବାହୁ ।

ନକ୍ର କର୍ତ୍ତନରୁ ଚକ୍ରଧାର, ନିନ୍ଦୁଥିଲା ବନ୍ଧୁକ ପ୍ରକର,

ନିଖିଳ ଲୋକେ ଏ ଯଶ ନାଚୁଛି ହେ ଜଗଦୀଶ,

ନୋହିଲାଟି କେଉଁ ଖ୍ୟାତି କର ହେ । ୫ ।

 

ଚତୁର୍ଦ୍ଦଶ ଲୋକେ ଯେଉଁ, ଚକ୍ରପରାକ୍ରମ ଗାଉଅଛନ୍ତି

ଅଭୟ ପାଇ ନିତି। ଚକାନୟନ ହେ

ସେହି ଚକ୍ରକୁ ଶ୍ରୀକରେ ବହି, ଚାହୁଁଛ ତ

ମୋହର ବିପତ୍ତ ହେ, ମହାବାହୁ ।

ଚରାଚରେ ଚିତ୍ର ଅତି ହେଲା, ଚକୋର କି ଚକ୍ର ନ ପାଇଲା,

ଚିନ୍ତୁଛି ମୁଁ ଚିରନ୍ତନ ହେବାରୁ ତାର୍କ୍ଷ୍ୟକେତନ,

ଚିରାଳ କି ଚିରା ହୋଇଗଲା ହେ । ୬ ।

 

ଛଳଯତି ବେଶ ଧରି, ଛଦନ ଶାଳାରୁ

ହରି ନେଲା ଯେ ଦେବୀକୁ ସୁରାମିତ୍ର ।

ଛେଦି ତାହାକୁ ମାର୍ଗଣେ, ଛିଦ୍ର କୁହା ବିଭୀଷଣେ,

ଟେକାଇଲ ଆପଣେ ତ ଛତ୍ର ହେ, ମହାବାହୁ ।

ଛାର ଦୁଃଖ କେତେ ଅବା ମୋର; ଛାୟାନାଥ ତୁମ୍ଭେ ସେ ଅନ୍ଧାର,

ଛଦ୍ମେ ବଳିଦ୍ୱାର ଖର୍ବ ଦ୍ୱିଜେନ୍ଦ୍ର ବେଶେ

ତା ପର୍ବ ଛଡ଼ାଇଲ ପରମଈଶ୍ୱର ହେ । ୭ ।

 

ଜଗତେ ଜାଣନ୍ତି ଜନ, ଯାହା କଲା ଦୁଃଶାସନ,

ଦ୍ରୁପଦ ଜେମାକୁ ସଭାତଳେ,

ଜଳଜ ଚରଣେ ସ୍ତୁତି କଳ୍ପିବାରୁ ମହାସତୀ,

ପ୍ରତିଷ୍ଠା ତୁଟିଲା ନାହିଁ ତିଳେ ହେ, ମହାବାହୁ ।

ଜମା ହୋଇଥିଲେ ଯେତେ ଜନ, ଜଣେ ଦେଖି ନାହିଁ ଅପଘନ,

ଜୟରବେ ଜଗତ୍ତ୍ରୟ ଜଠର ପୂରିଲା

ଭୟ ନିବାରଣ ଜଳଧିଶୟନ ହେ । ୮ ।

 

ଝଞ୍ଜାନିଜେ ଝାଡ଼ଦଳ ଝଡ଼ିଗଲାପରି

ଜଳ, ଝରିଗଲା ପରି ଫଟା ଘଟୁ ।

ଝାଙ୍କି ମନସ୍ତାପ ଭୟ ଅମଳେ ମୋ ଆୟୁକ୍ଷୟ,

ହୋଇଲାଟି ଦୀନଦୟାପଟୁ ହେ, ମହାବାହୁ ।

ଝଟତି ମୋ ଅଭିଳାଷପୁର, ଝିମିଟ ହେଲାଟି ମନ୍ୱନ୍ତର,

ଝାଞ୍ଜିତପ୍ତ ଅଳ୍ପ ଜଳ ଜମ୍ୱାଳ ବଶୁଁ ବ୍ୟାକୁଳ

ଝଷଦଶା ହୋଇଲା ମୋହର ହେ । ୯ ।

 

ନୃଗ ନାମେ ନୃପବର ନିରୟେ ନିମଜ୍ଜି

ଚିରକାଳୁ ହୋଇଥିଲେ କୃକସରି ।

ନବୀନ ନୀରଦ ନିନ୍ଦା, ନବ ରତନବିସନ୍ଧା,

ଶ୍ରୀହସ୍ତେ ତାହାଙ୍କ କର ଧରି ହେ । ମହାବାହୁ ।

ନେଇ ଯିବାକାଳେ ତୁଲେ ତୁଲେ, ନିରେଖି ତାହାଙ୍କ ତେଜ ଭଲେ,

ନାକ ନିତମ୍ୱିନୀମାନେ, ନନ୍ଦନବନ ପ୍ରସୂନେ,

ନିତି ନିତି ଉପହାର ଦେଲେ ହେ । ୧୦ ।

 

ଟେକିଛି ଅଦ୍ୟାପି ପୀନ, ବାହୁ ଯୁଗଳକୁ ଦୀନ,

ଜନରେ ଛାୟାଦେବାକୁ ଚିନ୍ତି ।

ଟାକି ରହିଛି ମୁଁ ସେହି ବାହୁବୃନ୍ଦାରକ ମହୀରୁହ

ଅନାତପକୁଟି ନିତି ହେ । ମହାବାହୁ ।

ଟିକିଏ କରୁଣା ଜାତ ହେଉ, ଟୋପାଏ ତହୁଁ ଏ ଟେକା ପାଉ,

ଟାଳି ଦେଲେ ଭାବଗ୍ରାହୀ, ଦୁର୍ଗତି ଦୁଃଖକୁ ଚାହିଁ,

ଟମକ ପିଷ୍ଟପେ ବାଜିଯାଉ ହେ । ୧୧ ।

 

ଠଣାଦାରପରି କାଳ, କରରେ ଧରି କରାଳ,

ଦଣ୍ଡ ଜଗି ରହିଅଛି ଠଣା ।

ଠିକମାର୍ଗ ପରିହରି, ଠକ ଆଚରଣ କରି ବଞ୍ଚିବା

ଜନ୍ତୁର କି ଠିକଣା ହେ, ମହାବାହୁ ।

ଠଉରଥିବାର ଏ ଜଗତେ, ଠଉରାଇ ଗତି ହିତାହିତେ,

ଠାକୁରମାନଙ୍କ ମଥାମଣି ହେ

ମୁଁ କେଉଁ କଥା କରିବି ବିଚାର ଦିବ୍ୟ ଚିତ୍ତେ ହେ । ୧୨ ।

 

ଡାକି ଗଉରବେ ଆଣି ବନ୍ଦନୀୟ ଜନ ପାଣି,

ପଦ୍ମେ ଦେଉ ନାହିଁ ବରାଟକୀ ଡୁବାଇ ନାହିଁ ମସ୍ତକ,

ମନ୍ଦାକିନୀ ହ୍ରଦୋଦକ,

ପୁରେ ପଶି ହରି ହରି ଡାକି ହେ, ମହାବାହୁ ।

ଡରୁଛି ଯେ ଛାମୁରେ ତୁମ୍ଭର, ଡାକୁଅଛି ଆହେ ବିଶ୍ୱମ୍ୱର,

ଡିମ୍ୱର ଦୋଷକଳାପ, ତୁମ୍ଭେ ପରା ବାପ ମାଫ,

ନ କଲେ କି କରିବ ଇତରେ ହେ । ୧୩ ।

 

ଢାଳି କରୁଣା ପୀୟୁଷ; ଅଶେଷ ଦୋଷୀଙ୍କ ଦୋଷ,

ନାଶିବାରୁ ସିନା ବାରଂବାର ।

ଢକ୍କା ବାଜୁଛି ସଂସାର, ମଧ୍ୟେ ଏହି ଅନ୍ତଃସାର,

ସକାଶୁଁ ମୁଁ କରୁଛି ବ୍ୟାପାର ହେ, ମହାବାହୁ ।

ଢାଳେ କ୍ଷିତି ଅନାଇ ନ ଚାଲି, ଢମ କହୁଅଛି ଛାତି ଠେଲି,

ଢାଙ୍କି ରହଥିବା ଘୋର, ଦାବାଗ୍ନିକି ନାଥ ମୋର ଢୋକି ଦେବେ

ଅନାୟାସେ ବୋଲି ହେ । ୧୪ ।

 

ଅପରିମିତ ମହିମ ଅଘବିଧ୍ୱଂସନ ନାମ,

ଅତ୍ୟନ୍ତ ପ୍ରବଳ ହେଲେ ହେଲେ ।

ଅପରାଧ ହେବା ଡରେ, ଅଘରେ ଆତଙ୍କନରେ,

ଆସକ୍ତ ନୋହିବା ଜାଣେ ଭଲେ ହେ, ମହାବାହୁ ।

ଅଣୁଏ ଆୟତ୍ତ ନାହିଁ ମୋର, ଆଚରୁଛି ପାତକୀ ପ୍ରକାର,

ଆପଣ ହୃଦେ ନିବାସ କରି ଯେଉଁ ପରମାସ,

କରୁଛ ତା କରୁଛି କିଙ୍କର ହେ । ୧୫ ।

 

ତାରିବାକୁ ମାରିବାକୁ ତାପାର୍ତ୍ତି ନିବାରିବାକୁ

ତୁମ୍ଭତୁଲ୍ୟ ପ୍ରଭୁ ଆଉ ନାହିଁ ।

ତପନୀୟ ଗିରିତଳେ ତପୋଧନମାନେ

ତିଳେ ତବ ତତ୍ତ୍ୱ ଜାଣନ୍ତି ବା ନାହିଁ ହେ, ମହାବାହୁ ।

ତର୍କି ନ ପାରିବାରୁ ବିଭୁତି, ତସ୍କର ବନିଲେ ପ୍ରଜାପତି,

ତନୁରୁ ତର୍ଣ୍ଣକ ଶିଶୁ, ତକ୍ଷଣେ ହେବା ସକାଶୁଁ,

ତଳେ ଲୁଠି ଲାଜେ କଲେ ସ୍ତୁତି ହେ । ୧୬ ।

 

ଥିବାରୁ ମଞ୍ଜୁଷେ ଗଣ୍ଠି, ପରି ହେ, ବୈକୁଣ୍ଠକଣ୍ଠୀ,

ରବ ତବ ପ୍ରଭାବ ମୋ ମନେ ।

ଥୁଆଧନ ସିନା ଭୋଗ, କରି ହରିବି ଉଦ୍‌ବେଗ,

ବୋଲି ଭାବୁ ଭାବୁ ଅନୁଦିନ ହେ, ମହାବାହୁ ।

ଥାଏ ମୋ ଭରସା ମେରୁପରି, ଥାପିରେ ଧଇର୍ଯ୍ୟ ଥାଏ ପୁରି,

ଥରୁଅଛି ଏବେ ଭୟଭରେ ଅନୁକମ୍ପାମୟ;

ନୟନାନ୍ତ ଛଟା ଦିଅ ଠାରି ହେ । ୧୭ ।

 

ଦିନେ ଦୟାଳୁତା ବାନା ଦୃଶ୍ୟ କରାଇଲେ ସିନା,

ଦୀନବନ୍ଧୁ ନାମକୁ ତୁମ୍ଭର ।

ଦୁଷ୍ଟ ଦୁଃଖ ବନ୍ଦଶୁକ, ଦଷ୍ଟ ହୃଦନ୍ତର ଲୋକ,

ରକ୍ଷା ଜାଙ୍ଗଳିକ ପୁରନ୍ଦର ହେ, ମହାବାହୁ ।

ଦରିଦ୍ରକୁ ଦାନଦେବା ଯଶ, ଦିଗନ୍ତକୁ କରଇ ଆଶ୍ଳେଷ,

ଦଇବେ ଦ୍ରବିଣବନ୍ତ ଜନେ କଲେ ବିତ୍ତ

ଦାତାର କି ହେବ ପଉରୁଷ ହେ । ୧୮ ।

 

ଧରିଥିଲେ ତରୁ ରୂପ, ଧାତାପୁତ୍ର ମୁନିଶାପ,

ବଶୁଁ ଧନାଧିନାଥଙ୍କ ସୁତେ ।

ଧରାଇଲ ଦିବ୍ୟତନୁ, ଧୃବକୁ ବାଳକ ଦିନୁଁ,

ଦିବ୍ୟ ଧାମ ଦେଲ ଏ ଜଗତେ ହେ, ମହାବାହୁ ।

ଧଡ଼ି ଶେଷୁ ସମର୍ପି ନଜର, ଧନୀ ହେଲେ ସୁଦାମା ଭୂସୁର,

ଧବଳ କରିଛି ଏହି, ଯଶୋବ୍ୟୋମ ତୁଲେ

ମହୀ ଧର୍ମ ଧାରାବନ୍ତ ଧୁରନ୍ଧର ହେ । ୧୯ ।

 

ନିରର୍ଗଳ ଅଧିକାର, ନିତ୍ୟ ନିଳୟ ଯାହାର,

ନାଥଙ୍କର ନାମ ଶୁଭୁଅଛି ।

ନିଷ୍କାରଣ ହୋଇ ତାର, ନରଦେହ ବହିବାର,

ନାଶ ଗଲା ବୋଲାଇଣ ଛି ଛି ହେ, ମହାବାହୁ ।

ନ ନଚାଇ ଏହା ଜନମୁଖ, ନିଯୋଜନା କର ମୋର ସୁଖ,

ନଳିନେ ଉଲ୍ଳାସଶିରୀ, ନିଧାନ ରହିଲା ପରି

ନବୋଦିତ ମିହିରମୟୁଖ ହେ । ୨୦ ।

 

ପ୍ରପନ୍ନ ହୋଇ ମୁଁ ବାରେ ପଦପଙ୍କେ ରୁହ

ତଳେ ପଡ଼ୁ ପଡ଼ୁ ପେଲିଦେବା ନୋହୁ।

ପଡ଼ିବି ସିନା ତୁମ୍ଭର ଗର୍ଭେ ଦେଇ କରଭର

ପଦାରେ ତ ସ୍ଥଳ ନାହିଁ ଆଉ ହେ, ମହାବାହୁ ।

ପରମ ସୌଭାଗ୍ୟ ମୋର ଏକା, ପର ପରିମାଣୁ ନାହିଁ ଦକା,

ପ୍ରଭୁପଣକୁ ମାତ୍ରକ ପ୍ରପଞ୍ଚ ମଣ୍ଡଳଯାକ,

ନିନ୍ଦା ହେବ ବୋଲି କରେ ଡକା ହେ । ୨୧ ।

 

ଫନ୍ଦା କରି ଆପଣଙ୍କୁ, ଫଳଲାଭ ବିନା ରଙ୍କୁ,

ବଳିଲିଣି ଆଚରଣ ସିନା ଫେଡ଼ି ଏ ମାନସକଥା,

କା ଆଗେ କହିବି ବ୍ୟଥା,

ଫେଡ଼ି ନେବ ଆଉ ତୁମ୍ଭ ବିନା ହେ, ମହାବାହୁ ।

ଫାଟିଅଛି ଯେବେ ମୋ କରମ, ଫନ୍ଦାଇବାକୁ ଆପଣ କ୍ଷମ,

ଫୁଟୁଥିଲା ପ୍ରହଣ୍ଡକେ ଯେଉଁ କୁବ୍‌ଜୀ ଏହି ଲୋକେ,

ନ କଲ କି ତାକୁ ରମ୍ଭା ସମ ହେ । ୨୨ ।

 

ବିଳମ୍ୱ ସହିବା ପୀଡ଼ା, ହେଲେହେଁ ବରହଚୂଡ଼ା,

ବତଂସ ମୁଁ ବଳିଥାଇଁ ଏତେ ।

ବିରକତ କରି ଅତି, ବିଜ୍ଞାପନ ନ କରନ୍ତି,

ବାଧା ବଳି ପଡ଼ିଲାଣି ମୋତେ ହେ ମହାବାହୁ ।

ବଳିଷ୍ଠ ବାହୁଯୁଗଳ ତଳେ, ବେକେ ମୋତେ ଛାୟାଦିଅ ବେଳେ,

ବଳଦେବ ବଳାହିତାବରଜ ହେ ସିନ୍ଧୁସୂତା

ବର ବନ୍ଦେ ଅମନ୍ଦ ବିକଳେ ହେ । ୨୩ ।

 

ଭୟାନକ ଭବ ଅହି ସୁଖେ ପଡ଼ିଛି ତ ମୁହିଁ,

ଭବ୍ୟ କଥା ଲୋଡ଼ିଲେ କେ ଦେବ ।

ଭରଜିଲେ ଭଲେ ଏହା ଭ୍ରମରୁ ହେ ରମାନାହା,

ଭଲ ଲୋଡ଼େ ନ ଲୋଡ଼ି ଲାଘବ ହେ, ମହାବାହୁ ।

ଭରସା ଏତିକି ଥାଏ ମୋର, ଭର୍ତ୍ତା ଯେଣୁ ତୁମ୍ଭେ ବଳିଆର,

ଭୁରୁଭଙ୍ଗ ମାତ୍ରକରେ, ଭସାଇଲ ରତ୍ନାକରେ,

ମହୋନ୍ନତ ବହୁତ ଭୂଧର ହେ । ୨୪ ।

 

ମହାମହିମ ହେ ମଣି, ମଉଳି ଗର୍ଭକମଣି

ମହୋନ୍ନତ ମହୀଧର ସିନା।

ମନାସି ତୁମ୍ଭର ଯଶ, ପଙ୍ଗୁ ଲଙ୍ଘିଛି ନିମିଷ,

ମାତ୍ରକେ ତାହାକୁ ଶ୍ରମ ବିନା ହେ, ମହାବାହୁ ।

ମଜ୍ଜିଥିବା ନିଗମକୁ ଛାଣି, ମଲା ଗୁରୁତନୟଙ୍କୁ ଆଣି,

ମହରାଦି ଲୋକେ ଦର, ମଲ୍ଲୀମାଳା ମନୋହର,

କୀର୍ତ୍ତିରେ ମଣ୍ଡିଲ ଯଦୁମଣି ହେ । ୨୫ ।

 

ଯମଙ୍କ କିଙ୍କରେ ମନ୍ତୁ - ମନ୍ତ ହେବା

ଯେଉଁ ଜନ୍ତୁମାନଙ୍କୁ ଯାତନ ଦେଉଥାନ୍ତି ।

ଯାଗ ଭାଗ ଭୁଞ୍ଜିବାକୁ,

ଯୋଗ୍ୟ କରାଅ ତାହାଙ୍କୁ,

ଯଶୋଦାଙ୍କ ଯଦିଷ୍ଟ ସନ୍ତତି ହେ, ମହାବାହୁ ।

ଯଦୃଚ୍ଛା ବିଳାସବିଚକ୍ଷଣ,

ଯତ୍ନ କଲେ ନ ଜାଣ ହେ । ୨୬।

 

ରତ୍ନାକର ଯା ମନ୍ଦିର, ରମା ରମଣୀ ଯାହାର,

ଯାହାର କୌସ୍ତୁଭ ମଣିବର ।

ରଥ ସୁତବିନତାର, ରଥଚରଣ ହତ୍ୟାର,

ରୁଦ୍ରଦେବ ପରା ପରିବାର ହେ ମହାବାହୁ ।

ରସାଚରମରେ ପଡ଼ି ପଡ଼ି, ରହିଛି ସନ୍ତତ କର ଯୋଡ଼ି,

ରଙ୍ଗ ଗୁହାରୀ-ଭାରତୀ, ରତ୍ନକୁଣ୍ଡଳିଆ ଶ୍ରୁତି,

ରନ୍ଧ୍ରପାଶେ ଥରେ ଯାଉ ପଡ଼ି ହେ । ୨୭ ।

 

ଲାଗିକାଳେ ଏ ମକର-କୁଣ୍ଡଳ ଯୁଗଳ ମୋର

ଦୁଃଖ ଜଣାଇବେ ବୋଲି ଚିନ୍ତି ।

ଲଗାଇ ରସାରେ ଶିର, ଲକ୍ଷ ଲକ୍ଷ ନମସ୍କାର,

ଲାଞ୍ଚ ଦେଇ କରୁଥାଏ ସ୍ତୁତି ହେ, ମହାବାହୁ ।

ଲଦିହୋଇ ଏତେ ରତ୍ନଗଣ, ଲାଗିଲେ କାହିଁକି ମୋର ଋଣ,

ଲଭି ଶ୍ରୁତି ପାଶେ ଘର, ଲଗଡ଼ କି ଲାଟସାର

ଲୋକରେ ଲୁଳିତ ଲୁବ୍‌ଧଗୁଣ ହେ । ୨୮ ।

 

ବଡ଼ ମୃଦୁଳ ଏ ବନମାଳା ବୋଲି ପ୍ରତିଦିନ,

ବନ୍ଦୀ କରୁଥାଏ ବିଜ୍ଞାପନ ।

ବିଶେଷେ ତାହାଙ୍କ ସଙ୍ଗ, କରି ଆସୁଥିବା ଭୃଙ୍ଗ,

ପଛେ ଗୋଡ଼ାଇବାକୁ ମୋର ମନ ହେ, ମହାବାହୁ ।

ବରଜ ବନିକା ଯାକ ବୁଲି, ବୁଝୁଥାଏଁ ଦେଖି ପ୍ରତି ବଲ୍ଲୀ,

ବଇଜୟନ୍ତି ବଲ୍ଲରୀ, ବକ୍ଷରେ ଯେ ଥିଲେ ଶିରୀ,

ଛାମୁରେ କି ପଡ଼ିଥିଲା ବୋଲି ହେ । ୨୯ ।

 

ଶରାବ୍‌ଧି ବେଳାକୁ ବଳି, ଅଦ୍ୟାପି ନାହାନ୍ତି କଳି,

କାଳେହେଁ ନିତ୍ୟ ମୁଁ ଲଭି ରତି ।

ଶଶି କୁରଙ୍ଗକୁ ଶେଷ, ଧରାକୁ ଶଙ୍କର

ବିଷ କଳଙ୍କ ପରାୟେ ବହିଛନ୍ତି ହେ, ମହାବାହୁ ।

ଶରଣ ବୋଲିବା ଡାକପଣେ, ଶରଣାର୍ଥୀ ଜନ ତତେ କିଣେ,

ଶତ୍ରୁ ହେଲେ ସେ ମୋହର, ବୋଲି ତ ହୁକୁମ କର,

ପ୍ରତିପାଳୁ ନାହିଁ ଏବେ କେଣେ ହେ । ୩୦ ।

 

ଷୋଡ଼ଶ ସହସ୍ର ବ୍ରଜସରୋରୁହାକ୍ଷୀ

ସମାଜ ଘେନି ସୁରସୁତା ତାର କୁଞ୍ଜେ ।

ଷଡ଼ାସ୍ୟଜନକାହିତ ସଙ୍ଗର ପ୍ରସଙ୍ଗେ ମତ୍ତ,

ହୋଇ ପ୍ରଫୁଲ୍ଲିତ ପୁଷ୍ପକୁଞ୍ଜେ ହେ, ମହାବାହୁ ।

ଷଡ଼ଙ୍ଘ୍ରି ରଚିଲା ପରି କେଳି, ଷଡ଼ାହିତ ନିରସନଶାଳୀ,

ଷଡ଼ଅଙ୍ଗୀ ଶ୍ରୁତୀମାନେ, ସ୍ତୁତି କଲେ ଅବସାନେ,

ନ ଲାଗିଲା ଅପବାଦ ଧୂଳି ହେ । ୩୧ ।

 

ସବୁ ସଂସାରି- ସଦନୁ, ସମସ୍ତ ଜନ ବଦନୁ,

ଶୁଣିଅଛି ସତ ଅବା ମିଛ ।

ସହସ୍ର ସଂଖ୍ୟକ ଅପ-ରାଧ କଲେ ହେଲେ ମାଫ,

କରି ପ୍ରସନ୍ନକୁ ରଖୁ ଅଛ ହେ, ମହାବାହୁ ।

ସେ ସକାଶୁଁ ମୋର ଏ ସାହସ, ସଙ୍କୋଚକୁ ମନେ ନାହିଁ ତ୍ରାସ,

ସରସ ସକଳ ସୁର, ସାମନ୍ତମାନଙ୍କ ସାର

ସଂରଜସେବକ ସମୁଲ୍ଲାସ ହେ । ୩୨ ।

 

ହରିହୟ ବିଭୂତିକି, ହଂସରଥାଧିକୃତିକି,

ହଟି ରଟୁ ନାହିଁ ମୁଁ ସମ୍ମୁଖେ ।

ହର୍ମ୍ୟତଳେ ଥିବାଯାକେ, ହାସ୍ୟାସ୍ପଦ ନୋହି ଲୋକେ,

ହରିନେବି କାଳ କିଛି ସୁଖେ ହେ, ମହାବାହୁ ।

ହଇରାଣ ନୋହି କ୍ଳେଶଜାଳେ, ହରେ ହରେ ବୋଲି ଅନ୍ତଃକାଳେ,

ହସି ହସି ଯିବି ହରିଦଶ୍ୱ ସୁତଙ୍କ ନଗରୀ,

ସୀମା ମାତ୍ର ନ ଦେଖିବି ଡ଼ୋଳେ ହେ । ୩୩ ।

 

କ୍ଷିତିକି ବହିବା ଅହି, କ୍ଷମ ନୋହିବାରୁ କହି,

ନ ପାରନ୍ତି ଯାହାଙ୍କ ପୁରତେ ।

କ୍ଷମା ପୀୟୁଷ ସମୁଦ୍ର, ହେବାର ମୁଁ ଅତି କ୍ଷୁଦ୍ର,

ଶ୍ରୀ ଛାମୁରେ ଜଣାଇଲି ଏତେ ହେ, ମହାବାହୁ ।

କ୍ଷମ ଅପରାଧ ଏ ତ ନୁହେ, କ୍ଷମାଧିପବାନାଧିବାସ ହେ,

କ୍ଷମାକର ଆଜ୍ଞା ହେବ, କ୍ଷିତିସୁର ବଳଦେବ

କବିରବି ରାୟଗୁରୁ କହେ ହେ । ୩୪ ।

Image